କୋରେଇ : ସାଧାରଣ, ଗରୀବ, ନିସଃହାୟ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି ସରକାର ଥାନାର ବ୍ୟବସ୍ଥା କରିଥିବାବେଳେ ଥାନାରେ ଅଭିଯୋଗ କରିବାର ମାସେ ବିତି ଯାଇଥିଲେ ମଧ୍ୟ ଥାନାରୁ ନ୍ୟାୟ ନପାଇ ବାଧ୍ୟହୋଇ ଅଭିଯୋଗକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛି । ମିଳିଥିବା ସୂଚନାନୁସାରେ କୋରାଇ ଥାନା ଅନ୍ତର୍ଗତ ପଛିକୋଟ ପଂଚାୟତର ଜଇଁତିରା ଗ୍ରାମର ବିଜୟ ବେହେରା ନାମକ ଜଣେ ଗରୀବ ଯୁବକ ଏହି ଥାନା ଅନ୍ତର୍ଗତ ଧନେଶ୍ୱର ଛକ ଠାରୁ କିଛି ଦୂରରେ ଆଜକୁ ଦୁଇ ବର୍ଷ ହେବ ଏକ ଘର ଭଡ଼ା ନେଇ ଚା’ ପାନ ଦୋକାନ କରିଅଛି । କିନ୍ତୁ ଉକ୍ତ ଘରର ମାଲିକ ସମ୍ବିତ ମହାନ୍ତି ବିଜୟଙ୍କ ଠାରୁ ଘର ଭଡ଼ା ଅଗ୍ରୀମ ବାବଦରେ ୧୫ ହଜାର ଟଙ୍କା ନେଇଥିବା ସହିତ ମାସିକ ଘର ଭଡ଼ା ନେଇ ଜୁଲମ କରୁଥିବା ସହିତ ବାକି ଥିବା ଟଙ୍କା ଦେଉନାହାନ୍ତି । ଏ ନେଇ ବିଜୟ ସମ୍ବିତଙ୍କୁ ବାକି ଟଙ୍କା ମାଗିବାରୁ ସମ୍ବିତ ବିଜୟଙ୍କ ଉପରେ ଟ୍ରକ ଚଢ଼ାଇ ମାରିଦେବେ ବୋଲି ଧମକ ଦେବା ସହିତ ଦୋକନ ଘରେ ତାଲା ପକାଇ ଦେଇଛନ୍ତି ଓ ବିଜୁଳି ତାରକୁ କାଟି ଦେଇଛନ୍ତି । ଫଳରେ ବିଜୟ ଦୋକାନ ଖୋଲି ପାରୁନାହାନ୍ତି । ବିଜୟ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ଘରେ ତାଙ୍କର ବୃଦ୍ଧା ମାଆ ଓ ଦୁଇ ଛୁଆଙ୍କ ସମେତ ପତ୍ନୀ ନିର୍ଭରଶୀଳ । ତେବେ ଦୋକାନ ନ ଖୋଲିପାରିବା ଯୋଗୁଁ ମହାଜନମାନେ ପ୍ରଦୀପଙ୍କୁ ବେଇଜ୍ଜତ କରିବା ସହିତ ଟଙ୍କା ଦେବାଲାଗି ଚାପ ପକାଉଛନ୍ତି । ଏ ନେଇ ବିଜୟ ଗତ ଏକ ମାସ ହେବ କୋରାଇ ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଥାନା ପକ୍ଷରୁ ତାଙ୍କୁ ବାରମ୍ବାର ଦୌଡ଼ାଯିବା ସହିତ ନ୍ୟାୟ ପ୍ରଦାନ କରାଯାଉନାହିଁ । ଫଳରେ ବିଜୟ ସପରିବାରେ ଆସି ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲଙ୍କୁ ଭେଟି ନ୍ୟାୟ ପ୍ରଦାନ ଲାଗି ଦାବି କରିଛନ୍ତି । ତେବେ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ରାଉତରାୟ ପ୍ରଦୀପଙ୍କ ଅଭିଯୋଗର ଶୁଣାଣୀ କରି ତାଙ୍କୁ ନ୍ୟାୟ ପ୍ରଦାନ ଲାଗି କୋରାଇ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି ।