ଭୁବନେଶ୍ୱର : ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡିଶାରେ ପ୍ରସ୍ତୁତ କରାଯାଉଥିବା ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ୍ ) ପ୍ରସ୍ତୁତି, ସଂରକ୍ଷଣ ଓ ବ୍ୟବହାର ସଂପର୍କରେ ରାଜ୍ୟର ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରିବାକୁ ଓଡ଼ିଶା ଆସିଛନ୍ତି । ନାଇଜେରିଆ ସରକାରଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତା, ଖାଦ୍ୟ ନିୟାମକ ସଂସ୍ଥା ମନ୍ତ୍ରାଳୟ ତଥା ବିଭାଗ ଏବଂ ଘରୋଇ କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କ ସହିତ ଆସିଥିବା ଏହି ୧୩ ଜଣିଆ ଟିମ୍ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ସହାୟତାରେ ଆସିଛନ୍ତି ।
ନାଇଜେରିଆ ସରକାର ଖାଦ୍ୟକୁ ଅଣୁ ପୁଷ୍ଟିସାରଯୁକ୍ତ କରିବା ପାଇଁ ଏକ ଜାତୀୟ ରଣନୀତି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ରଣନୀତି ଅନୁଯାୟୀ ସରକାର ଜାତୀୟ ଫର୍ଟିଫିକେସନ୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସେ ଦେଶର ଅନ୍ୟତମ ପ୍ରଧାନ ଖାଦ୍ୟ ଚାଉଳକୁ ଭିଟାମିନ୍ ଯୁକ୍ତ ପୁଷ୍ଟି ବର୍ଦ୍ଧକ (ଫର୍ଟିଫିକେସନ) କରିବାକୁ ଅନୁମତି ଦେଇଛନ୍ତି । ଭାରତର ଚାଉଳ ଫର୍ଟିଫିକେସନ୍ ପ୍ରକ୍ରିୟା କାର୍ଯ୍ୟକାରିତା ଅଭିଜ୍ଞତା ନାଇଜେରିଆ ପାଇଁ ଏକ ମୂଲ୍ୟବାନ ଉଦାହରଣ ହୋଇଛି । ବିଶେଷକରି ଦେଶରେ ଫର୍ଟିଫାଇଡ୍ ଚାଉଳ ପ୍ରସ୍ତୁତି ପାଇଁ ଦେଶରେ ଉତମ ପରିବେଶ ସୃଷ୍ଟି ହୋଇଛି । ଭାରତର ଆଭିମୁଖ୍ୟରେ ଦୃଢ଼ ସରକାରୀ ନେତୃତ୍ୱ ଅନ୍ତର୍ଭୁକ୍ତ ଯାହା ଲକ୍ଷ୍ୟଧାର୍ଯ୍ୟ ଅନୁସାରେ ସାର୍ବଜନୀନ ବଂଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପରି ସାର୍ବଜନୀନ ବିତରଣ ବ୍ୟବସ୍ଥାକୁ ସମର୍ଥନ କରୁଛି ।