କାଠମାଣ୍ଡୁ : ନେପାଳରେ ହୋଇଥିବା ଏକ କ୍ୱିଣ୍ଟାଲ ସୁନା ତସ୍କରୀ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ ଚୀନୀ ନାଗରିକ ଭାରତରେ ପ୍ରବେଶ କରୁଥିବା ବେଳେ ଗିରଫ କରାଯାଇଛି । ନେପାଳରେ ଏହି ମାମଲାର ଜୋରଦାର ଛାନଭିନ କରାଯାଉଥିବା ଜାଣିବା ପରେ ଅଭିଯୁକ୍ତ ଜଣକ ଭାରତ ଫେରାର ହେବାକୁ ଉଦ୍ୟମ କରୁଥିଲା । ତେବେ ସୀମାନ୍ତରେ ପ୍ରବେଶ ଉଦ୍ୟମ ବେଳେ ଗିରଫ କରାଯାଇଛି ।
ସୁନା ତସ୍କରୀ ମାମଲାର ତଦନ୍ତ କରୁଥିବା କେନ୍ଦ୍ର ଅନୁସନ୍ଧାନ ବ୍ୟୁରୋ ମୁତାବକ, ହଂକଂରେ ରହି ନେପାଳରେ ସୁନା ଚାଲାଣ କରୁଥିବା ରାକେଟର ମୁଖ୍ୟ ଅଭିଯୁକ୍ତ ଜଣେ ଚୀନୀ ନାଗରିକ । ତେବେ ଭାରତ ମଧ୍ୟକୁ ପ୍ରବେଶ ଉଦ୍ୟମ ବେଳେ ଅଭିଯୁକ୍ତକୁ ପଶ୍ଚିମବଙ୍ଗର ସିଲିଗୁଡିରୁ ଗିରଫ କରାଯାଇଛି । ସୁନା ତସ୍କରୀରେ ସମ୍ପୃକ୍ତ ଥିବା ଫେରାର ଅଭିଯୁକ୍ତଙ୍କ ତାଲିକା ସିଆଇବି ପକ୍ଷରୁ ଭାରତୀୟ ସୁରକ୍ଷା ଏଜେନ୍ସିକୁ ପ୍ରଦାନ କରାଯାଇଥିଲା । ଏହାର ଆଧାରରେ ସଶସ୍ତ୍ର ସୀମା ବଳ ପକ୍ଷରୁ ସମ୍ପୃକ୍ତ ଚୀନୀ ନାଗରିକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ନେପାଳି ନାଗରିକ ବେଶରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିଲା । ତଲାସୀ ସମୟରେ ଅଭିଯୁକ୍ତ ଠାରୁ ଚୀନ ପାସପୋର୍ଟ ଜବତ କରାଯାଇଛି ।