ଭୁବନେଶ୍ୱର, 24 ଅକ୍ଟୋବର – ବାତ୍ୟା ଦାନାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମୁଖ୍ୟ ପ୍ରଶାସକ ସମସ୍ତ ବ୍ୟବସ୍ଥାର ଟିକିନିଖ୍ ଭାବେ ତଦାରଖ କରିବା ସହ ପ୍ରଶାସକ ତଥା ଅନ୍ୟ ଅଧିକାରୀ କର୍ମଚାରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ ସେ ଦିଗରେ, ଆବଶ୍ୟକ ବାତ୍ୟା ସମ୍ପର୍କିତ ସତର୍କତା ରକ୍ଷା କରି ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରିଦିଆଯାଇଛି। 2. ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। 3. ସିଂହଦ୍ଵାର ସମ୍ମୁଖ ଏଲଇଡି ସ୍କ୍ରିନ କୁ ଅପସାରଣ କରାଯାଇ ଥିରବା ବେଳେ ସୂଚନା କେନ୍ଦ୍ର କାଚ ସ୍ଥାନରେ ପ୍ଲାୟ ଉଡ ଲଗାଯାଇଛି । କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆ ଯାଇଛି । ସାତପାହାଚ ନିକଟେ ଭକ୍ତମାନଂକ ସୁବିଧା ପାଇଁ ଥିବା ଧାଡ଼ି ବ୍ୟବସ୍ଥା ବ୍ୟାରିକେଡ୍ ଉପର ଛାତ କଢ଼ାଯାଇଥିବା ବେଳେ ଉପବନରୁ ସୌନ୍ଦର୍ଯ୍ୟକରଣ ଲାଇଟ୍ ବାହାର କରାଯାଇଛି । ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ାଯାଇଥିବା ବେଳେ ସମସ୍ତ ହାଲୁକା ବ୍ୟାରିକେଡକୁ ଗୋଟିଏ ଯାଗାରେ ଜମା କରି ରଶି ଦ୍ଵାରା ବନ୍ଧା ଯିବ | ସମସ୍ତ ଜେନେରେଟର ସେଟ ଡିଜେଲ ଭର୍ତ୍ତି କରାଯିବା ସହ ଗୋଟିଏ ଜେସିବି ରିଜର୍ଭ ରଖାଯାଇଛି।ସେହିପରି ସିସିଟିଭି ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥି ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।
ଏସବୁ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ଏଏସଆଇ ଏବଂ ଓବିସିସି ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମଧ୍ଯ ସମସ୍ତ ବ୍ୟବସ୍ଥାର ତତ୍ତ୍ବାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି ।