ପଶ୍ଚିମ ସିଂହଭୂମି : ସ୍ୱାଧୀନତା ଦିବସ ପୂର୍ବରୁ ଝାଡଖଣ୍ଡରେ ନକ୍ସଲ- ପୋଲିସ ମୁହାଁମୁହିଁ ଯୋଗୁ 2 ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ପଶ୍ଚିମ ସିଂହଭୂମିର ଚୋଇବାସା ଜିଲ୍ଲାର ଟୋଟୋ ଥାନା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଯୋଗୁ ଝାଡଖଣ୍ଡର ଜଗୁଆରର ସବ ଇନସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାରଙ୍କର ବଳିଦାନ ଘଟିଛି । ଅମିତ 2012 ବ୍ୟାଚର ସବ ଇନସପେକ୍ଟର ଥିଲେ । ତେବେ ସିପିଆଇ (ମାଓବାଦୀ) ସଙ୍ଗଠନର ମିସିର ବେସରା ଗ୍ୟାଙ୍ଗ ସହ ସୁରକ୍ଷାକର୍ମୀଙ୍କର ଗୁଳି ବିନିମୟ ହୋଇଥିଲା ।
ପଶ୍ଚିମ ସିଂହଭୂମିର ଏସପି ଆଶୁତୋଷ ଶେଖରଙ୍କ ସୂଚନା ମୁତାବକ, ଜିଲ୍ଲାର ତୁମ୍ବାହାକା ଓ ସରଜମ୍ବରୁ ଜଙ୍ଗଲରେ ସୋମବାର ରାତିରେ କୋମ୍ବିଂ ଅପରେସନ କରାଯାଇଥିଲା । ତେବେ ଘନଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ 2ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି ।
ଅମିତ ତିୱାରୀ ଖୁଣ୍ଟି ଜିଲ୍ଲାର ତୋରପା ଥାନାରେ ଥାନା ପ୍ରଭାରୀ ଭାବେ ଯୋଗ ଦେଇଥିଲେ । ଅମିତଙ୍କ ଘର ପଲାମୁ ଜିଲ୍ଲାରେ ହୋଇଥିବା ବେଳେ ତିନି ଦିନ ପୂର୍ବରୁ ହିଁ ତାଙ୍କର ପୁଅ ଜନ୍ମ ହୋଇଥିବା ସୂଚନା ମିଳିଛି । ମୋବାଇଲରେ ହିଁ ସେ ତାଙ୍କ ନବଜାତ ପୁଅକୁ ଦେଖିଥିଲେ ।
ସୂଚନାଯୋଗ୍ୟ 4ଦିନ ପୂର୍ବରୁ ଏହି ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡଧରଣର ଅପରେସନ କରାଯାଇ ମାଓ କ୍ୟାମ୍ପକୁ ନଷ୍ଟ କରାଯାଇଥିଲା । ସେହି ଅଭିଯାନରେ ଜଣେ ଯବାନ ସହିଦ ହୋଇଥିଲେ । ଚୋଇବାସା ଜିଲ୍ଲାର ଜଙ୍ଗଲରେ ନକ୍ସଲ ମାନେ ଲୁଚିରହିଥିଲେ । ତେବେ ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ନକ୍ସଲଙ୍କ ନିକଟରେ ପହଞ୍ଚିଯାଇଥିଲେ । ତେବେ ଗୁଳି ବିନିମୟ ଯୋଗୁ ଯବାନ ସୁଶାନ୍ତ କୁମାରଙ୍କ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲ ନିଆଯାଇଥିଲା,ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ଏହି ଅଭିଯାନରେ ସୁରକ୍ଷାକର୍ମୀମାନେ ମିସିର ବେସରାର ମାଓ କ୍ୟାମ୍ପକୁ ଧ୍ବଂସ କରିଦେଇଥିଲେ । ନକ୍ସଲ ମିସିର ବେସରା ଏକ ବଙ୍କର ଭିତରୁ ତାର ସଙ୍ଗଠନକୁ ସଞ୍ଚାଳନ କରୁଥିଲା । ଏହି ବଙ୍କର ଭିତରେ ଲାଇଟ୍ ସହ ଅନ୍ୟାନ୍ୟ ସୁବିଧା ଥିଲା । ତେବେ ଚଢାଉ ସମୟରେ ଏହି ବଙ୍କର ଭିତରୁ ମୋଟର ସହ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।