
ପୁରୀ : ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମାଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହେଉଛି । ଆଜି ନବରାତ୍ରିର ସପ୍ତମ ଦିବସରେ ମା ଦୁର୍ଗାଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହେଉଛି । ଏହି ଦିବସରେ ମାତା କାଳରାତ୍ରୀଙ୍କ ଉପାସନା କରାଯାଇଥାଏ । ମାତା ଦୁର୍ଗାଙ୍କର ସପ୍ତମ ସ୍ଵରୂପର ନାମ ହେଉଛି କାଳରାତ୍ରୀ । ଶୁମ୍ଭ ନିଶୁମ୍ଭଙ୍କୁ ନିପାତ କରିବା ପାଇଁ ମା ନିଜର ବାହ୍ୟ ସ୍ଵର୍ଣ୍ଣାଭ ତ୍ଵଚା ତ୍ୟାଗ କରି ଗାଢ଼ କୃଷ୍ଣବର୍ଣ୍ଣ ଧାରଣ କରିଥିଲେ, ସେହି ରୂପଙ୍କୁ କାଳରାତ୍ରୀ କୁହାଯାଏ । ଏହା ଦେବୀଙ୍କର ସବୁଠାରୁ ଭୟଙ୍କର ରୂପ, ଶନି ଗ୍ରହ ମା କାଳରାତ୍ରୀଙ୍କ ନିୟନ୍ତ୍ରଣରେ ରହିଛନ୍ତି । ମା କାଳରାତ୍ରୀଙ୍କର ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ବାହାନ ହେଉଛି ଗଧ । ଦେବୀ ଚତୁର୍ଭୂଜା, ଦୁଇ ଦକ୍ଷିଣ ହସ୍ତ ଅଭୟ ଓ ବରଦ ମୁଦ୍ରାରେ ଶୋଭାପାଏ ତଥା ଦୁଇ ବାମହସ୍ତରେ ଖଡ୍ଗ ଓ ଅଙ୍କୁଶ ଧାରଣ କରିଥାନ୍ତି ।
ମାତା କାଳରାତ୍ରୀଙ୍କର ରୂପ ଭୟଙ୍କର ହେଲେ ମଧ୍ୟ ସେ ଅଭୟ ବରଦାୟିନୀ, ଶୁଭଫଳ ପ୍ରଦାନ କରନ୍ତି ବୋଲି ଦେବୀଙ୍କୁ ଶୁଭଙ୍କରୀ ମଧ୍ୟ କୁହାଯାଏ । ମାତା କାଳରାତ୍ରୀ ଅଜ୍ଞାନ ଅନ୍ଧକାର ଦୂରକାରିଣୀ ।