ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନବିରୋଧୀ ବୟାନକୁ ନେଇ ପୁଣି ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାନସଭା ଭିତରେ ବିରୋଧୀଙ୍କୁ ଜନବିରୋଧୀ କହିଛନ୍ତି ଏବଂ ବିଧାନସଭା ଆସିପାରିବ ନାହିଁ ବୋଲି ଧମକ ଦେଇଥିଲେ । ଏଥିରେ କିଛି ନୂତନତ୍ୱ ନାହିଁ । ନବୀନ ଓଡିଶାରେ ସବୁଠୁ ଅଧିକ ଜନ ବିରୋଧୀ । ତାଙ୍କ ୨୩ ବର୍ଷ ଶାସନ କାଳରେ ଓଡିଶା ଏକ ପଛୁଆ ରାଜ୍ୟରେ ପରିଣତ ହୋଇଛି । ଦାରିଦ୍ର୍ୟ, ନାରୀ ନିର୍ଯାତନା ପ୍ରାଥମିକ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁ ବିପର୍ଯ୍ୟସ୍ତ ହୋଇପଡିଛି । ନବୀନ ବାବୁ ଆମକୁ ଜନ ବିରୋଧୀ କହିବା ପୂର୍ବରୁ ଭାବିବା କଥା ସେ ସବୁଠାରୁ ବଡ଼ ଜନ ବିରୋଧୀ । ତାଙ୍କଠୁ ବଡ଼ ଜନ ବିରୋଧୀ ଆମେ ଦେଖି ନାହୁଁ ।
ଜଣେ ଆଇଏଏସ ଅଫିସରକୁ ସରକାର ଲିଜ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱହୀନ ମନ୍ତବ୍ୟ ସେ ଦେଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧୀ ଦଳକୁ ଜନବିରୋଧୀ କହୁଛନ୍ତି, ତେବେ ଜନବିରୋଧୀମାନେ କେମିତି ବିଧାନସଭାରେ ବସିବେ ? ସେ ଆହୁରି କହିଛନ୍ତି ଯେ ସେ ଚିନ୍ତିତ ଅଛନ୍ତି, ଏତେ ଦିନ ଧରି କହୁନଥିଲେ ଆଜି କାହିଁକି କହୁଛନ୍ତି, ତାଙ୍କ କର୍ମ ଯୋଗୁଁ ଚିନ୍ତିତ ଅଛନ୍ତି । ଚିନ୍ତିତ ହୋଇ ସେ ଧୈର୍ଯ୍ୟହରା ହୋଇ କହୁଛନ୍ତି । ଉଲ୍ଲେଖ ଥାଉ କି ଆଜି ବିଜେଡିର ଜନସଂପର୍କ ଯାତ୍ରାବେଳେ ନବୀନ କହିଥିଲେ ଯେ ଓଡ଼ିଶାର ବିକାଶରେ ବିରୋଧୀ ଦଳ ବାଧକ ସାଜିଛନ୍ତି । ସେମାନେ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମିତ କରିବା ଏବେ ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କରନ୍ତି । ସେଥିପାଇଁ ସେମାନଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନ ବିରୋଧୀ ।