
ଜାତୀୟ ଓ ରାଜ୍ୟ ରାଜନୀତିକୁ ନେଇ ହେଲା ଆଲୋଚନା: ଆଗାମୀ ଦିନରେ ସଂଗଠନ ସୁଦୃଢ଼ କରିବା ଉପରେ ଗୁରୁତ୍ୱବଲାଙ୍ଗୀର, ୧୩ ଅପ୍ରେଲ – ଆଜି ପୂର୍ବାହ୍ନ ଘ.୧୦.୩୦ ମି. ସମୟରେ କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ସହ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସାକ୍ଷାତ କରିଛନ୍ତି । ୧୦ ଜନପଥ ସ୍ଥିତ ଶ୍ରୀମତୀ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ଏହି ସାକ୍ଷାତ ଆଲୋଚନା ଦିର୍ଘ ଏକ ଘଂଟା ଧରି ଚାଲିଥିଲା । ବର୍ତମାନ ଦେଶର ରାଜନୈତିକ ପରିସ୍ଥିତିରେ ଜନସାଧାରଣ କିପରି ହଇରାଣ ହେଉଛନ୍ତି, କେନ୍ଦ୍ର ସରକାର ରାଜନୈତିକ ଆକ୍ରୋଶ ରଖି କେନ୍ଦ୍ରୀୟ ସଂସ୍ଥା ସିବିଆଇ, ଇଡି କୁ ବ୍ୟବହାର କରି ନିଜର ହୀନ ରାଜନୈତିକ ଉଦେଶ୍ୟ ଚରିତାର୍ଥ କରିବା ଭଳି ସମସ୍ୟା ବିରୁଦ୍ଧରେ କିପରି ଆଗାମୀ ଦିନରେ କଂଗ୍ରେସ ଲଢେଇ କରିବ, ସେ ଉପରେ ଉଭୟରେ ଆଲୋଚନା କରିଥିଲେ । ରାଜ୍ୟ ରାଜନୀତିରେ କିଭଳି ବିଜେପି ବିଜେଡି ଅଘୋଷିତ ମେଂଟ କରି ରାଜ୍ୟବାସୀ ଙ୍କୁ ଭୁଆଁ ବୁଲାଉଛନ୍ତି, ରାଜ୍ୟର ମୁଲ୍ୟବାନ ଖଣିଜ ସମ୍ପଦ କୁ ଲୁଟି ନିଜ ଦଳୀୟ ପାଣ୍ଠି ସଂଗ୍ରହ କରୁଛନ୍ତି, ସେସବୁକୁ କିପରି ମୁକାବିଲା କରାଯିବ ତାହାକୁ ନେଇ ଆଲୋଚନା ହୋଇଥିଲା । ତା’ ସହ ରାଜ୍ୟରେ ଦଳୀୟ ପ୍ରାର୍ଥୀ ଚୟନ ଓ ଆଗାମୀ ଦିନରେ ଦଳ ସାଂଗଠନିକ ସ୍ତରରେ କିପରି ମଜଭୁତ ହୋଇ ଲୋକଙ୍କ ବିଶ୍ୱାସ ଭାଜନ ସହ ଲୋକଙ୍କ ସେବା ରେ ନିଜକୁ ଠିକ ଭାବେ ନିୟୋଜିତ କରିପାରିବ ତାହାର ବିସୃତ ଆଲୋଚନା ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଶ୍ରୀମତୀ ଗାନ୍ଧୀଙ୍କ ମଧ୍ୟରେ ହୋଇଥିଲା ।