ଭୁବନେଶ୍ୱର, 7 ସେପ୍ଟେମ୍ବର – ଲୋକଙ୍କ ସହ ମିଶି କେନାଲରୁ ମାଟି ଖୋଳିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୀର୍ଘ ଦିନ ଧରି କେନାଲଟି ପୋତି ହୋଇ ରହିବା କାରଣରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଂଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ମାଟି ପକାଇ କେନାଲକୁ ପୋତା ଯାଇଥିବା କହିଥିଲେ ଗ୍ରାମବାସୀ । । ଏହାଦ୍ୱାରା ୪ ଶହ ଏକର ଜମି ଜଳସେଚନରୁ ବଂଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ । ତେଣୁ ଲୋକଙ୍କ ଅଧିକାର ଲୋକଙ୍କ ନିକଟରେ ପହଂଚାଇବାକୁ ତୁରନ୍ତ ମାଟି ତାଡ଼ି କେନାଲ ବାଟ ସଫା କରିବାକୁ ୩ ଦିନ ସମୟ ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟ ମଧ୍ୟରେ ମାଟି ତାଡ଼ି କେନାଲ ଖୋଳା ନ ଗଲେ ୧୧ ତାରିଖରେ ସମଗ୍ର ଅଂଚଳବାସୀ ସାଂସଦଙ୍କ ଉପସ୍ଥିତିରେ କେନାଲ ଖୋଳି ଦେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀମତୀ ଷଡଙ୍ଗୀ ।
ଅଭିଯୋଗ ପାଇ ଗୁରୁବାର ସାଂସଦ ଅପରାଜିତା ଷଡ଼ଙ୍ଗୀ ସେହି ଅଂଚଳକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଶତାଧିକ ଲୋକ ଉପସ୍ଥିତ ଥିବା ବେଳେ ସମସ୍ତଙ୍କ ସାମନାରେ ମାଟି ଖୋଳା ଯାଇଥିଲା । ଘଟଣାସ୍ଥଳ ଦେଖିବା ପରେ ଅପରାଜିତା କହିଛନ୍ତି, ୨ ବର୍ଷ ତଳେ ଯେଉଁ ଚାଷୀମାନେ ୩ଶହ ଏକର ଜମିରେ ଚାଷ କରୁଥିଲେ, ଏବେ ସେମାନେ ଆଉ ପାଣି ପାଉ ନାହାନ୍ତି । ଜଣେ ପ୍ରଭାବଶାଳୀ ମହିଳା ନିଜ ସହକର୍ମୀଙ୍କ ଦ୍ୱାରା ପୂରା ଅଂଚଳକୁ ପୋତି ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କର ଏଥିରେ ସମ୍ପୂର୍ଣ୍ଣ ସହଯୋଗ ରହିଛି । ନକ୍ସା ଯାଂଚ ପରେ ୪ଶହ ମିଟର ଜବରଦଖଲ ହୋଇଥିବା ଦେଖାଯାଇଛି । ୩ଟି ଜାଗା ଖୋଳିବାରୁ ତାହା ତଳେ କଂକ୍ରିଟ ଚ୍ୟାନେଲ ଥିବା ଦେଖାଦେଇଛି । କିରୁଥିକା ପ୍ରଭାକରନ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ ସହଯୋଗରେ ଏହା କରିଛନ୍ତି । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ଖୋଳିବାକୁ ପଡ଼ିବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ୩ ଦିନ ସମୟ ଦିଆଯାଇଛି । ୧୦ ତାରିଖ ସୁଦ୍ଧା ଏହି କାମ ନ ହେଲେ ୧୧ ତାରିଖରେ ଏହି ଅଂଚଳର ସମସ୍ତ ଲୋକଙ୍କ ଉପସ୍ଥିତିରେ ଏହାକୁ ଖୋଳି ଦିଆଯିବ ।