ଭୁବନେଶ୍ୱର : ଶୁକ୍ରବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମାର୍ଧ ବୈଠକରେ ଦିବଙ୍ଗତ ବିଧାୟକ ଓ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ଅପରାହ୍ନ 5ଟା ଯାଏ ମୁଲତବୀ ଘୋଷଣା କରାଯାଇଛି ।
ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସର୍ବ ପ୍ରଥମେ ଜାତୀୟ ସଂଗୀତ ଗାନ ହୋଇଥିଲା । ଏହା ପରେ ନବ ନିର୍ବାଚିତ ବାଚସ୍ପତି ପ୍ରମିଳା ମଲିକ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୋକ ପ୍ରସ୍ତାବ ଆଗତ କରିବାକୁ ଡାକିଥିଲେ ।
ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ନିବେଦିତା ପ୍ରଧାନ, କୁମର ବେହେରା ଓ ରମେଶ ସୋରେନ ଏବଂ ଦିବଙ୍ଗତ ପୁଲିସ କର୍ମୀ ଦେବାଶିଷ ବିଶ୍ବାଳ, ସୁଶାନ୍ତ କୁମାର ଖୁଣ୍ଟିଆ ଓ ସୁଶାନ୍ତ କୁମାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ଅବସରରେ ସେ ସେମାନଙ୍କ ସ୍ମୃତିଚାରଣ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏମାନେ ସମସ୍ତେ ଦିବଙ୍ଗତ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଦିବଙ୍ଗତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ଶୋକ ପ୍ରସ୍ତାବ ପରେ ବାଚସ୍ପତି କହିଥିଲେ ଯେ ଦିବଙ୍ଗତ ଆତ୍ମାଙ୍କ ସମ୍ମାନ ପାଇଁ ଗୃହର ପ୍ରଥମାର୍ଧରେ କୌଣସି କାର୍ଯ୍ୟ ସମ୍ପାଦିତ ହେବ ନାହିଁ । ଅପରାହ୍ଣ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏହା ପରେ ସେ ଅପରାହ୍ଣ ୫ଟା ଯାଏ ବିଧାନସଭାକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।