ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଫଳରେ ଅଧିକାଂଶ ସ୍ଥାନରେ ଆକାଶ ପ୍ରାୟ ମେଘଶୂନ୍ୟ ରହିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ । ଆହୁରି ୩ ଦିନ ମୌସୁମୀର ଦୁର୍ବଳ ସ୍ଥିତି ଜାରି ରହିବା ସହ ବିଶେଷ ବର୍ଷାର ସମ୍ଭାବନା ନାହିଁ । ମୌସୁମୀର ଦୁର୍ବଳ ସ୍ଥିତି ହେତୁ ଅଗଷ୍ଟ ଶେଷ ଯାଏଁ ରାଜ୍ୟରେ କାଁ-ଭାଁ ବର୍ଷା ସମ୍ଭାବନା ରହିଛି ।
ଗତ ୨୪ ଘଂଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମି.ମି. ରେକର୍ଡ ହୋଇଛି, ଯାହା ସ୍ଵାଭାବିକ ବର୍ଷା ୧୨.୧ ମି.ମି. ତୁଳନାରେ ୯୬ ପ୍ରତିଶତ କମ୍ ।
ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତରରେ ରହିବା ସହ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରୁଛି। ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।