-କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜୁନ – ବରିଷ୍ଠ ବିଜେପି ନେତା ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାଙ୍କ ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଛି । ବିଜେପି ବିଧାୟକ ଦଳର ବୈଠକରେ ନିଷ୍ପତି କ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି ବୋଲି ରାଜନାଥ ସିଂ କହିଛନ୍ତି । ଆସନ୍ତାକାଲି ରାଜ୍ୟପାଳ ରଘୁବର ଦାସ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।
କେନ୍ଦୁଝର ସଦର ଆସନରୁ ୪ର୍ଥ ଥର ପାଇଁ ବିଧାୟକ ହୋଇଥିବା ମୋହନ ମାଝୀ ଜଣେ ଆଦିବାସୀ ନେତା ଭାବେ ମଧ୍ୟ ବେଶ ପରିଚିତ । ସେ ଶିଶୁ ମନ୍ଦିର ଗୁରୁଜୀରୁ ଆଜି ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ।
କେନ୍ଦୁଝର ଆସନରୁ ୨୦୦୦ ମସିହାରେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ମାଝୀ । ସେ ୨୦୦୪-୦୯ ଓ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାୟକ ରହିଛନ୍ତି । ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇ ସାରିଛନ୍ତି ।
ସେହିପରି କନକବର୍ଦ୍ଧନ ସିଂହଦେଓ ୧୯୯୫ରୁ ୨୦୧୪ ଯାଏଁ କ୍ରମାଗତ ଭାବେ ପାଟଣାଗଡ଼ ବିଧାନସଭା ଆସନରୁ ୫ଥର ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନରେ ସେ ବିଜେଡିର ସରୋଜ ମେହେରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ ନିର୍ବାଚନରେ କେଭି ସିଂହଦେଓ ପୁଣି ବିଜୟୀ ହୋଇଛନ୍ତି । ଅନ୍ୟପଟରେ ନିମାପଡ଼ା ଆସନରୁ ପ୍ରଥମ ଥର ନିର୍ବାଚନ ଜିତି ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ।