ନୂଆଦିଲ୍ଲୀ : ମଣିପୁରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବୋତ୍ତର ଏହି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ମଙ୍ଗଳବାର ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ମଣିପୁର ହିଂସା ପ୍ରସଙ୍ଗ ଉଠାଇବା ସହ ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଦେଶର ବିଭିନ୍ନ ସ୍ଥାନରେ ବିଶେଷ କରି ମଣିପୁରରେ ଗତକିଛି ଦିନ ହେବ ହିଂସା ଲାଗି ରହିଛି । ମଣିପୁରରେ ହିଂସା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଝିଅ-ବୋହୂଙ୍କ ସମ୍ମାନ ହରାଇଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କିଛିଦିନ ହେବ ଏଠାରେ ଶାନ୍ତି ଫେରୁଥିବାର ଖବର ଆସୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରିବାରଜନ କହିବା ସହ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସହଯୋଗ କାମନା କରିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଏଥର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦେଶର ଅନେକ ସ୍ଥାନରେ ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍କଟକୁ ସାମ୍ନା କରିଥିବା ଓ ସହିଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏସବୁର ସାମ୍ନା କରି ଆଗକୁ ବଢିବ ବୋଲି କହିଛନ୍ତି ମୋଦି ।