ଭୁବନେଶ୍ବର , 11 ଏପ୍ରିଲ – ଜୟଦେବର ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇର ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉଲ୍ଲେଖନୀୟ ଯେ ଉଭୟ ବିଧାୟକ ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସାରିଛନ୍ତି । ତେଣୁ ଉଭୟ ଦଳ ଛାଡି ବିଜେପିରେ ଯୋଗ ଦେବା ପରେ ଏନେଇ ସରକାରୀ ଦଳର ମୁଖ୍ୟ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବାଚସ୍ପତି ଉଭୟଙ୍କର ସଭ୍ୟପଦ ରଦ୍ଦ କରିଥିବା ଜଣା ପଡିଛି ।
ପଦ ରଦ୍ଦ କରାଯିବା ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ଅରବିନ୍ଦ ଢାଲି । ସାମ୍ବାଦିକ ମାନଙ୍କ ଏ ସମ୍ପର୍କିତ ପ୍ରଶ୍ନ ଉତର ଦେଇ ଶ୍ରୀ ଢାଲି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏକତରଫା ନିଷ୍ପତି ନିଆଯାଇଛି ।ସେ କହିଛନ୍ତି ଯେ, ସଭ୍ୟପଦ ରଦ୍ଦ କରିବା ସ୍ବାଭାବିକ । ମୋ ପାଇଁ ଯାହା ଅନ୍ୟମାନଙ୍କ ବି ସମାନ ନିୟମ ରହିଛି । ହେଲେ ସଭ୍ୟପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନାହିଁ । ସେ କହିଛନ୍ତି ଯେ ମତାମତ ନ ନେଇ ଏକତରଫା ନିଷ୍ପତ୍ତି ନିଆଯାଇଛି । ସଭ୍ୟପଦ ରଦ୍ଦର ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ ବୋଲି ସେ କହିଛନ୍ତି ।