ଭୁବନେଶ୍ୱର : ରାଜ୍ୟରେ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ (ଆଇଏମଆଇ) “ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫.୦” କୁ ସଫଳ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସହଯୋଗୀ ବିଭାଗର ସମନ୍ୱୟରେ ମିଶନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ – ମିଶନ ଇନ୍ଦ୍ରଧନୁଷ- ଅଭିଯାନ-୫.୦ ର ସଫଳତା ପାଇଁ ନିଆଯାଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।
ଆଗାମୀ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ , ୯ ରୁ ୧୪ ଅକ୍ଟୋବର ୬ ରୁ ୧୧ ନଭେମ୍ବର ଆଦି ୩ ଟି ପର୍ଯ୍ୟାୟରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଥର ନିୟମିତ ଟିକାକରଣ ଦିବସକୁ ମିଶାଇ ୬ ଦିନ ଧରି ଏହା ଅନୁଷ୍ଠିତ ହେବ । ଜନ୍ମରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ବୟସ ଅନୁସାରେ ନେବାକୁ ଥିବା ଟିକା, ଆରମ୍ଭରୁ ଟୀକା ନ ନେଇଥିବା ଶିଶୁ, ସଂପୂର୍ଣ୍ଣ ଟୀକା କରଣ ହୋଇନଥିବା ଏବଂ ୨ ରୁ ୫ ବର୍ଷ ମଧ୍ୟରେ ଏମ୍ଆର-୧, ଏମ୍ଆର-୨, ପେଂଟା ଏବଂ ଓ ଓପିଭି ଡୋଜ ନେଇନଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରହିଛି । ରାଜ୍ୟରେ ୨୦୧୫ ମସିହାରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ସମସ୍ତ ବାଦ୍ ପଡ଼ିଥିବା ଶିଶୁ, ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ ଅଭିଯାନ କରାଯାଇସାରିଛି । ଆଇଏମ୍ ଆଇ- ୫.୦ ଅଭିଯାନ ଅଧିନରେ ୨୦୨୩ ରେ ଟୀକାକରଣ କରାଯିବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ୟୁ-ୱିନ୍ (ଡିଜିଟାଲ୍ ପ୍ଲାଟଫର୍ମ)ରେ ପଞ୍ଜୀକରଣ କରିବା ଏବଂ ସ୍ୱତନ୍ତ୍ର ତଥା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଆଇଏମ୍ଆଇ ଜରିଆରେ ଟିକା ଦେବାକୁ ଲକ୍ଷ୍ୟ ରହିଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଏନଏଫଏଚଏସ୍ -୫ ରେ ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି । ବିଭିନ୍ନ ସର୍ବେକ୍ଷଣରେ ଏହି ପ୍ରତିଶତ ବୃଦ୍ଧି ପାଇ ଅଧୂନା ସହାରାଂଚଳରେ ଏହା ୯୨ ପ୍ରତିଶତ ଥିବା ବେଳେ ଗ୍ରାମାଂଚଳରେ ୯୦.୨ ରହିଛି । ୨୦ଟି ଜିଲ୍ଲାରେ ୯୦% ରୁ ଅଧିକ ସମ୍ପୂର୍ଣ୍ଣ ଟିକାକରଣ ମାତ୍ରା ରହିଛି । ସମସ୍ତ ଜିଲ୍ଲାର ସମ୍ପୂର୍ଣ୍ଣ ଟିକାକରଣ କଭରେଜ୍ ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ସହରାଞ୍ଚଳ ବସ୍ତି, ସହରାଞ୍ଚଳ ପାଖାପାଖି ଅଂଚଳ , ଅଣସଂରକ୍ଷିତ ଜନସଂଖ୍ୟା, ଜନଜାତି ରହୁଥିବା ଅଂଚଳ, ସେବା ଅପହଂଚ ବସତି, ପ୍ରବାସୀ ଜନସଂଖ୍ୟା, ଲୋକମାନେ ରହୁଥିବା ଅଥଚ ପହଞ୍ଚିବା କଷ୍ଟକର ଅଞ୍ଚଳ ଆଇଏମ୍ ଆଇ ଅଭିଯାନରେ ସର୍ବୋଚ୍ଚ ପ୍ରାଥମିକତା କ୍ଷେତ୍ର ରହିଛି । ଭୌଗୋଳିକ ଦୃଷ୍ଟିକୋଣରୁ ରାଜ୍ୟରେ ଟୀକାକରଣ କ୍ଷେତ୍ରରେ ଅଧିକ ଯତ୍ନ ଆବଶ୍ୟକ କରୁଥିବା ଜିଲ୍ଲା, ବ୍ଲକ ଓ ଅଂଚଳଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ଆଦୌ ଟିକା ବା ଡୋଜ ନ ନେଇ ଥିବା ଅଂଚଳ, ଛଡା ଯାଇଥିବା ଏବଂ ଡ୍ରପ୍ ଆଉଟ୍ ପିଲାମାନଙ୍କୁ ଧ୍ୟାନ ଦିଆଯିବ । ମିଳିମିଳା , ନୂଆ ଟୀକା ଦିଆଯାଉଥିବା ଅଂଚଳ, ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟକ ଟିକାକରଣ ହୋଇନାହିଁ, ପ୍ରବାସୀ ଏବଂ ଅଣ-ପ୍ରବାସୀ ମାନେ ରହୁଥିବା ସ୍ଥାନ, ସହରାଞ୍ଚଳ – ବସ୍ତି ଓ ସହରାଞ୍ଚଳ ବସ୍ତି ଉପରେ ବିଶେଷ ଧ୍ୟାନ ଦିଆଯିବ । ୨୦୨୨-୨୩ରେ ମିଳିମିଳା , ଡିପଥେରିଆ ଓ ପର୍ଟୁସିସ୍ ପ୍ରକୋପ ଥିବା ଅଞ୍ଚଳରେ ଟିକାକରଣରେ ଅସୁବିଧା ଦେଖାଦେଉଥିବା ଅଞ୍ଚଳକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ମିଶନ ଇନ୍ଦ୍ରଧନୁଷ ୫.୦ ପଦକ୍ଷେପକୁ ସଫଳ କରିବା ପାଇଁ କାର୍ଯ୍ୟାନ୍ୱୟନ ନିୟମାବଳୀ ସବୁ ଜିଲ୍ଲା ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପଂଚାୟତିରାଜ ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକସଂପର୍କ, ଶ୍ରମ ଓ ବୈଷୟିକ ଶିକ୍ଷା, କ୍ରୀଡା ଓ ଯୁବ ସେବା ଆଦି ବିଭାଗର ସମନ୍ୱିତ ପ୍ରୟାସରେ ଏହି ଟୀକାକରଣ କାର୍ଯ୍ୟ ସଂପାଦିତ ହେବ । ଏଥିପାଇଁ ଜିଲ୍ଲାସ୍ତରରେ ଟ୍ୟାକ୍ସ ଫୋର୍ସ ବୈଠକ, ବ୍ଲକ ସ୍ତରୀୟ ଟ୍ୟାକ୍ସ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି । ଟୀକାନେବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାଙ୍କ ସର୍ବେକ୍ଷଣ, ଟୀକାକରଣ ଗୁରୁତ୍ୱତ୍ପୂର୍ଣ୍ଣ ସଂପର୍କରେ ଜଣାଇବା ଓ ସଂପୃକ୍ତି ନିମନ୍ତେ ସବୁ ସଂପୃକ୍ତ ବିଭାଗର ସମନ୍ୱୟକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ସିଡିପିଓ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସାମିଲ ପୂର୍ବକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଜରିଆରେ ଅଭିଭାବକମାନଙ୍କୁ ସଚେତନ କରିବାକୁ କୁହାଯାଇଛି । ସେହିପରି ଜନଜାତି, ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଅଂଚଳରେ ଏହି ମିଶନକୁ ଗୁରୁତ୍ୱ ଦେବା ସହ ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ସହଯୋଗ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍.ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ମହିଳା ଓ ଶିଶୁ ବିଭାଗ ଆଦି ବିଭାଗର ନିର୍ଦ୍ଦେଶକଙ୍କ ସମେତ ସଂପୃକ୍ତ ବିଭାଗର ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।