ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁସ ଟୀକାକରଣ ଅଭିଯାନ । ପୂର୍ବରୁ କିଛି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହେଉଥିଲା ବେଳେ ଚଳିତ ବର୍ଷ ସମସ୍ତ ଜିଲ୍ଲାରେ କରାଯାଉଛି । ଅଭିଯାନ ମାସରେ ୬ ଦିନରେ ଚାଲିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ୫ ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ପୂର୍ଣ୍ଣ ଟୀକାକରଣ କରାଇବା । ଏଥିପାଇଁ ୨୬ ହଜାର ସେଶନ ଚିହ୍ନଟ କରାଯାଇଛି। ଟୀକାକରଣ ଲାଗି ଚିହ୍ନଟ ହୋଇଥିବା ୧ ଲକ୍ଷ ୨୩ ହଜାର ୪୭୨ ଶିଶୁ ଓ ୨୩ ହଜାର ୫୬୮ ଗର୍ଭବତୀ ମହିଳାଙ୍କୁ ୩ଟି ପର୍ଯ୍ୟାୟରେ ଟୀକାକରଣ କରାଯିବ । ଗତକାଲି ପ୍ରଥମ ଦିନରେ ୪୦୬୬ ସେସନରେ ୧୨ ହଜାର ୩୯ ଶିଶୁ, ୨ ହଜାର ୩୪୨ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି । ମିଶନ ଇନ୍ଦ୍ରଧନୁସ ଅଭିଯାନ ଅଧୀନରେ ୧୧ଟି ଟିକା ଦିଆଯାଉଛି, ଯାହାକି ପିଲାଙ୍କୁ ୧୨ଟି ଘାତକ ରୋଗରୁ ମୁକ୍ତ ରଖିବ ।