ବଲାଙ୍ଗିର : ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମନୋହରପୁର ସ୍ଥିତ ପୋଲିସ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ ରେ ଅଭିଭାବନ ଗ୍ରହଣ କରିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସପି ରିଷିକେଶ ଖିଲାରୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଛନ୍ତି ।
ବଲାଙ୍ଗିରର ଜନସାଧାରଣ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ କରୋନା କଟକଣା ଥିବା ୨୦୧୯ ପରେ ଚଳିତ ବର୍ଷ ଉତ୍ସବରେ ଯୋଗଦାନ କରିଥିବାରୁ ଉତ୍ସବରେ ଉତ୍ସାହ ପ୍ରକାଶ ପାଇଥିଲା। ଦିବସ ଅବସରରେ ଆଜି ପ୍ରାତଃ ୪ଟା ସମୟରେ ରାମଧୁନ୍ କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳ ୬ଟାରୁ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତଫେରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସହରର ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ପରେ ଗାନ୍ଧୀନଗରପଡ଼ା ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, କଚେରୀ ଛକର ଡ.ବି.ଆର୍. ଆମ୍ବେଦ୍କରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀଭବନ ସମ୍ମୁଖର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଶିଶୁ ଉଦ୍ୟାନ ନିକଟସ୍ଥ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି ।
ପୂର୍ବାହ୍ନ ୯ଟା ୧୫ ମିନିଟରୁ ମନୋହରପୁର ସ୍ଥିତ ପୋଲିସ ପଡ଼ିଆରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ, କୃତି ଛାତ୍ରଛାତ୍ରୀ ଓ ପ୍ରତିଭା ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ସକାଳ ୭ଟା୩୦ ରୁ ୮ଟା ମଧ୍ୟରେ ବିଭିନ୍ନ ସ୍କୁଲ କଲେଜ ଅନୁଷ୍ଠାନ ଗୁଡିକରେ ସାମୁହିକ ଭାବରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଦିନ ୧୧ଟା ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ରକ୍ତ ଭଣ୍ଡାର ଠାରେ ରୋଟାରୀ କ୍ଲବ ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଦିବସର ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।