ସମ୍ବଲପୁର : ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ମାରପିଟ୍ ଘଟଣାକୁ ନେଇ ବୁର୍ଲା ଥାନାରେ ୩ଟି ମାମଲା ରୁଜୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ। ତାଙ୍କ ସୂଚନା ଅନୁସାରେ ଗତ ୪ ତାରିଖ ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ରଙ୍କ ମାଡ଼ରେ ଆହତ ହୋଇଥିବାର ଅଭିଯୋଗ ଆଣିଥିବା ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ଭାଇଙ୍କ ଆକ୍ରମଣରେ ଆହତ ହୋଇଥିବା ଡାକ୍ତରୀ ଛାତ୍ରଙ୍କ ଏତଲାକୁ ନେଇ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ସେହିପରି ସେପଟେ ବୁର୍ଲା ଫାଣ୍ଡିରେ କିଛି ଲୋକ ଭଙ୍ଗାରୁଜା କରିଥିବାରୁ ପୁଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରିଛି ଓ ସମସ୍ତ ମାମଲା ବୁର୍ଲା ଥାନାରେ ରୁଜୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ଯ ଯେ ଗତ ବୁଧବାର ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ମାରପିଟ୍ ଘଟଣାକୁ ନେଇ ଭୀମସାରରେ ଉତ୍ତେଜନା ପ୍ରକାଶ ପାଇଥିଲା। ରାତି ପ୍ରାୟ ୧ଟାରୁ ୩ଟା ମଧ୍ୟରେ ପୁରୁଷ ହଷ୍ଟେଲରେ ଜଣେ ସୁରକ୍ଷାକର୍ମୀଙ୍କ ଉପରେ କୌଣସି କାରଣକୁ ନେଇ କିଛି ଡାକ୍ତରୀ ଛାତ୍ର ଆକ୍ରମଣ କରିଥିଲେ। ଏହାବାଦ ଛାତ୍ରମାନେ ସୁରକ୍ଷା ସଂସ୍ଥାର କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ମଧ୍ୟ କରିଥିଲେ। ଏଥିରେ ଉଭୟ ପକ୍ଷର ଜଣେ ଲେଖାଁଏ ଆହତ ମଧ୍ଯ ହୋଇଥିଲେ। ତେବେ ଆହତ ସୁରକ୍ଷାକର୍ମୀଙ୍କୁ କୌଣସି ଡାକ୍ତର ଚିକିତ୍ସା ନକରିବାରୁ ତାଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏହାକୁ ନେଇ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରପକ୍ଷରେ ଏନେଇ ପଶ୍ଚିମ ଓଡ଼ିଶା ସୁରକ୍ଷାକର୍ମୀ ସଂଘ ପକ୍ଷରୁ ବୁର୍ଲା ଥାନା ଘେରାଉ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।