ବଲାଙ୍ଗିର : ମୃଦ୍ୟୁ ପାନୀୟରେ ନିଶା ଦେଇ ଛାତ୍ରଙ୍କଠାରୁ ଲୁଟିନେଲେ ଟଙ୍କା, ମୋବାଇଲ। ୩ଜଣ ଛାତ୍ରଙ୍କୁ ଅଚେତ ଅବସ୍ଥାରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ। ଛାତ୍ରମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତ ୪ ତାରିଖ ଦିନ ସମ୍ବଲପୁର ବରାଇପାଲିରେ ଏସ୍ଏସ୍ସି ପରୀକ୍ଷା ଥିଲା।ସେଥିପାଇଁ ବେଲପଡା ଥାନା ଅଞ୍ଚଳର ରେଙ୍ଗାଲି ଗାଁର ବଳରାମ ମେହେର, ସୁବାଷ ମେହେର, ଥୁଡିବାହାଲ ଗାଁର ଆନନ୍ଦ ଭୋଇ, ପାଲେସିରା ଗାଁର ବଲବନ୍ତ କୁଅର ଓ ପଲ୍ଲୀମାଲ ଗାଁର ସିଶୀଳ ମହାନନ୍ଦ ସମସ୍ତେ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସାରି ଛାତ୍ରମାନେ ଗତକାଲି ରାତିରେ ଇସ୍ପାତ ଟ୍ରେନ ଯୋଗେ କଣ୍ଟାବାଞ୍ଜିକୁ ଆସିଥିଲେ। ଟ୍ରେନଟି ବିଳମ୍ବରେ କଣ୍ଟାବାଞ୍ଜିରେ ପହଞ୍ଚିବାରୁ ରାତିରେ ୱେଟିଂ ହଲ୍ରେ ଶୋଇକି ସକାଳୁ ନିଜ ନିଜ ଗାଁକୁ ଯିବା ପାଇଁ ସେମାନେ ସ୍ଥିର କରିଥିଲେ । ଛାତ୍ରମାନେ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା କରି ଷ୍ଟେସନରେ ନିକଟରେ ଥିବା ଦୋକାନରୁ ମୃଦ୍ୟୁ ପାନୀୟ କିଣି ପିଇଥିଲେ। ଏହି ମୃଦୁ ପାନୀୟ ପିଇଲା ପରେ ସେମାନଙ୍କ ଚେତା ବୁଡିଯିବାର ସୁଯୋଗ ନେଇ ତାଙ୍କର ଲୁଟ ହୋଇଯାଇଥିବା ଖବର ମିଳିଛି।