କନ୍ଧମାଳ, ୩୧ ଅଗଷ୍ଟ – କନ୍ଧମାଳ ଜିଲ୍ଲାର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘା ବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ସେହି ଗ୍ରାମ ର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ୍ ଡିଭିଜନ ର ସଚିବ ବିଜୟ ଲେଖାଯାଇଛି।
ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ମାଓ ସଙ୍ଗଠନ ସମର୍ଥନ କରିବା ସହ ପୋଲିସ ଓ ସରକାରଙ୍କ ଦମନମୂଳକ କାର୍ଯ୍ୟକଳାପକୁ ନିନ୍ଦା କରିଛି ସଙ୍ଗଠନ । ଗଞ୍ଜେଇ ଚାଷ ଏଠାକାର ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରୁଚ୍ଛି । ସରକାର ଗଞ୍ଜେଇ ଚାଷକୁ ଔଷଧ ତାଲିକାଭୁକ୍ତ କରି ମାନ୍ୟତା ପ୍ରଦାନ କରୁ ନଚେତ୍ ବିକଳ୍ପ ଚାଷ ବ୍ୟବସ୍ଥା କରୁ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି।
ଏହି ଦାବୀରେ ମାଓ ସଙ୍ଗଠନ ପକ୍ଷରୁ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଡ଼ାକରାର କୌଣସି ପ୍ରଭାବ, ସେହି ଅଂଚଳରେ କିମ୍ବା ଜିଲ୍ଲାରେ ଦେଖିବାକୁ ମିଳୁନାହିଁ । ଏହି ଘଟଣା ପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଥା ସମଗ୍ର ଜିଲ୍ଲାରେ ସତର୍କ ନଜର ରଖାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।