ସମ୍ବଲପୁର, ମେ 27 ସମ୍ବଲପୁର ଲୋକସଭା ଆସନ ଏବଂ ଏହାର ସାତୋଟି ବିଧାନସଭା ଏବେ ଭୋଟ ଗ୍ରହଣ ପରେ ସମସ୍ତ ଇଭିଏମ୍କୁ ଜିଲ୍ଲା ଓ ସବ୍ଡିଭିଜନ ମୁଖ୍ୟାଳୟମାନଙ୍କରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମ୍ମାନଙ୍କରେ ରଖାଯାଇଛି । ନିର୍ବାଚନର ଫଳାଫଳ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ରାର୍ଥୀମାନେ ନୀରବତା ଅବଲମ୍ବନ କରୁଥିବା ବେଳେ ସେମାନଙ୍କ ସମର୍ଥକ ଓ ସହଯୋଗୀମାନେ ବିଭିନ୍ନ ବୁଥ୍ରେ ହୋଇଥିବା ମତଦାନର ପ୍ରଭାବ ଉପରେ ଚର୍ଚ୍ଚା କରୁଛନ୍ତି ।
ଏହି ଲୋକସଭା ଆସନର ସମ୍ବଲପୁର, ରେଢ଼ାଖୋଲ, କୁଚିଣ୍ଡା ଏବଂ ରେଙ୍ଗାଲି, ଦେବଗଡ଼ ଜିଲ୍ଲାର ଦେବଗଡ଼, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ଉତ୍ତାରୁ ଏବେ ଗଣତି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇ ରହିଛି । ୨୦୧୯ ତୁଳନାରେ ଅଧିକ ମତଦାନ ହୋଇଥିବାରୁ ବିଜୟ ବ୍ୟବଧାନ ମଧ୍ୟ ବଢ଼ିବ ବୋଲି ଆଶା କରାଯାଉଛି । କାରଣ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡ଼ି ପକ୍ଷରୁ ବିଧାୟକ ତଥା ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାଶ (ବବି) ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନମନ୍ତ୍ରୀ ତଥା ସାଂସଦ ନଗେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଏଥିପାଇଁ ଏହି ଆସନର ଗୁରୁତ୍ୱ ବୃଦ୍ଧି ପାଇଛି । ସେହିଭଳି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ବିଧାୟକ ରୋହିତ ପୂଜାରୀ ସମ୍ବଲପୁର, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଏବଂ ପ୍ରାକ୍ତନ ବିଧାୟକ ରବିନାରାୟଣ ନାୟକ କୁଚିଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ, ବିଧାୟକ ସୁବାଷ ପାଣିଗ୍ରାହୀ ଦେବଗଡ଼, ବିଧାୟକ ନାଉରୀ ନାୟକ ରେଙ୍ଗାଲି ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
ବିଶେଷ କରି ବିଜେପି ଏବଂ ବିଜେଡ଼ି ପକ୍ଷରୁ ବିଶିଷ୍ଟ ତାରକା ପ୍ରଚାରକଙ୍କ ଜରିଆରେ ନିର୍ବାଚନୀ ପ୍ରଚାର ଅଭିଯାନ କରାଯାଇଥିଲା । ଗତଥର ଏହି ଆସନରୁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ ଭୋଟର ମାନେ ଲୋକସଭାକୁ ନିର୍ବାଚିତ କରିଥିଲେ । ହେଲେ ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ଦଳ ପରିବର୍ତ୍ତନ ଜାରି ରହିଥିଲା । ପୂର୍ବରୁ ଏଭଳି ସ୍ଥିତି କେବେ ଦେଖାଯାଇ ନଥିଲେ ମଧ୍ୟ ପୂର୍ବତନ ସାଂସଦ, ଅନେକ ବିଧାୟକ, ଜିଲ୍ଲାପରିଷଦ ସଦସ୍ୟ ଏପରିକି ପୌରପରିଷଦ କାଉନ୍ସିଲରମାନେ ନିଜ ନିଜ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହୋଇଥିବା ଦେଖାଯାଇଥିଲା । ୨୦୧୯ରେ ସଂସଦୀୟ କ୍ଷେତ୍ରର ସମ୍ବଲପୁର, ରେଙ୍ଗାଲି ଓ ଦେବଗଡ଼ ଆସନରୁ ବିଜେପି ଓ ରେଢ଼ାଖୋଲ, କୁଚିଣ୍ଡା, ଆଠମଲ୍ଲିକ ଏବଂ ଛେଣ୍ଡିପଦା ଆସନରୁ ବିଜେଡ଼ି ପ୍ରାର୍ଥୀମାନେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେଥର ଲୋକସଭା କ୍ଷେତ୍ରରେ ୭୬.୭୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ୦.୮୧ ପ୍ରତିଶତ ଭୋଟରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହୋଇଥିଲେ । ୨୦୧୪ରେ ୭୫.୯୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ୩.୧୦ ପ୍ରତିଶତ ଭୋଟ ବ୍ୟବଧାନରେ ବିଜେପି ଠାରୁ ଜିତି ଥିଲେ । ୨୦୦୯ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଜିଣିଥିଲେ । ସେଥର ୬୪.୯୦ ପ୍ରତିଶତ ମତଦାନ ହୋଇଥିଲା ଓ ସେ ୧.୮୬ ପ୍ରତିଶତ ଭୋଟରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଜିଣିଥିଲେ ।