ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋମବାର ଦିନ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କୁ ନମନ କରିବା ସହ ତାଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଦେଶବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା କହିଛନ୍ତି । ନଡ୍ଡାଙ୍କ ସମେତ ଅନେକ ବିଜେପି ନେତା ବିଜେପି ମୁଖ୍ୟାଳୟରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ,-ମାଆ ଭାରତୀଙ୍କ ସେବାରେ ଜୀବନ ସମର୍ପିତ କରିଥିବା ଅନ୍ତୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବ୍ୟକ୍ତିତ୍ୱ ଏବଂ କୃତିତ୍ୱ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ସ୍ରୋତ ରହିବ । ତାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ମୋର ନମନ ବୋଲି କହିଛନ୍ତି ପିଏମ ମୋଦି ।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କର ଏକାତ୍ମ ମାନବବାଦ ଦର୍ଶନର ସିଦ୍ଧାନ୍ତକୁ ସ୍ମରଣ କରି ତାଙ୍କ ନମନ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ ରାଷ୍ଟ୍ରସେବା ଏବଂ ସମର୍ପଣର ବିରାଟ ପ୍ରତୀକ ଅଟେ ।
ଜେପି ନଡ୍ଡା ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ- ଏକାତ୍ମ ମାନବବାଦର ପ୍ରଣେତା, ଭାରତୀୟ ଜନତା ପାର୍ଟିର ପ୍ରେରଣା ପୁଞ୍ଜ ଶ୍ରଦ୍ଧେୟ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶତ ଶତ ପ୍ରଣାମ ଜଣାଉଛି । ଆପଣଙ୍କ ତପସ୍ୱୀ ଜୀବନ ଏବଂ ଅନ୍ତୋଦୟର ସଂକଳ୍ପ ସର୍ବଦା ଭାରତୀୟ ସମାଜର ସମାବେଶୀ ଉତ୍କର୍ଷ ପାଇଁ ଆମର ପ୍ରେରଣା ରହିବ ବୋଲି ନଡ୍ଡା କହିଛନ୍ତି ।