ମାଲକାନଗିରି : ମାଲକାନଗିରି ଜିଲ୍ଲା କାରାଗାରରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହିଥିବାର ଦେଖିବାକୁ ମିଳିଛି। ଏଠି ଜାଗା ଅଭାବରୁ ଅନ୍ତେବାସୀଙ୍କୁ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଥିବା କାରାଗାରକୁ ପଠାଇବାକୁ ପଡୁଛି। ଏଥିସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ମୋଟ ୧୨ ଜଣ କାରାରକ୍ଷୀ ରହିଛନ୍ତି।
ସୂଚନାଯୋଗ୍ୟ, ୧୯୬୦ ମସିହାରୁ ମାଲକାନଗିରି ଉପକାରାଗାର ଆରମ୍ଭ ହୋଇଛି। ଏଠାରେ ୬୨୪ ଜଣ ଅନ୍ତେବାସୀ ରହିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ, କାରାଗାରରେ ୬୫୦ ଜଣ ଅନ୍ତେବାସୀ ରହୁଛନ୍ତି। କାରାଗାରରେ ମୋଟ ୨୦ଟି ୱାର୍ଡ ସହିତ ୫ଟି ସେଲ୍ ରହିଛି। ମହିଳା ୱାର୍ଡରେ ୧୦ ଜଣ ଅନ୍ତେବାସୀ ରହିଥିବା ବେଳେ ପୁରୁଷ ୱାର୍ଡରେ ୬୪୦ ଜଣ ଅନ୍ତେବାସୀ ରହିଛନ୍ତି। ୬୪୦ ଜଣ ପୁରୁଷଙ୍କ ମଧ୍ୟରୁ ୧୧ ଜଣ କଏଦୀ ହୋଇଥିବା ବେଳେ ୬୨୯ ଜଣ ବିଚାରଧୀନ କଏଦୀ ଅଟନ୍ତି। ଏହି କାରାଗାରେ ଜାଗା ଅଭାବ ରହିଥିବା ବେଳେ ଏଠିକାର ଅନ୍ତେବାସୀମାନଙ୍କୁ ନେଇ କୋରାପୁଟ ଜିଲ୍ଲାର କୋଟପାଡ ଓ ରାୟଗଡା ଜିଲ୍ଲାର ବିଷମକଟକ କାରଗାରରେ ରଖାଯାଇଛି। ମାଲକାନଗିରି କାରାଗାରରେ ଖେଳକୁଦ କରିବା ପାଇଁ ଉପଯୁକ୍ତ ଜାଗା ମଧ୍ୟ ଅଭାବ ରହିଛି। ଏଥିସହ ଅନ୍ତେବାସୀମାନେ କୌଣସି ଧନ୍ଦାମୂଳକ କାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ପାଇପାରୁ ନାହାନ୍ତି। ମାଲକାନଗିରି କାରାଗାରରେ କାରାପାଳ, ଉପ କାରାପାଳ, ଫାର୍ମାସିଷ୍ଟ, ଡାକ୍ତର, ଝାଡୁଦାର ଓ ଡ୍ରାଇଭର ଜଣେ ଲେଖାଏଁ ରହିଛନ୍ତି। ଅନ୍ତେବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଜଣ କାରାରକ୍ଷୀ ରହିଛନ୍ତି। ସେଥିରେ ୨ ଜଣ ମହିଳା ଓ ୮ ଜଣ ପୁରୁଷ ଅଟନ୍ତି। ଏହି ୧୦ ଜଣ କାରାରକ୍ଷୀଙ୍କୁ ପରିଚାଳନା କରିବା ପାଇଁ ୩ ଜଣ ମୁଖ୍ୟ କାରାରକ୍ଷୀ ଆବଶ୍ୟକତା ରହିଥିବା ବେଳେ ୨ ଜଣ ରହିଛନ୍ତି।
ମାଲକାନଗିରି କାରାଗାରରେ ଗଞ୍ଜେଇ କେସ ଠାରୁ ଆରମ୍ଭ କରି ବହୁ ମାଓବାଦୀ ମଧ୍ୟ ରହିଛନ୍ତି। ସେମାନଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦେବା ପାଇଁ ଅଧିକ କାରାରକ୍ଷୀ ଆବଶ୍ୟକତା ଥିବା ବେଳେ ତାହା ବୃଦ୍ଧି ହୋଇପାରୁ ନାହିଁ। ନୂତନ କାରଗାର ନିୟମ ଅନୁଯାୟୀ ୬ ଜଣ ଅନ୍ତେବାସୀଙ୍କୁ ଜଣେ କାରାରକ୍ଷୀ ନିୟୋଜିତ ପାଇଁ ନିୟମ ରହିଛି, କିନ୍ତୁ ଏଠାରେ ୪୫ ଜଣ ଅନ୍ତେବାସୀଙ୍କ ପାଇଁ ଜଣେ କାରାରକ୍ଷୀ ଅଛନ୍ତି। ଜଣଙ୍କୁ ଦୈନିକ ୮ ଘଣ୍ଟା ବଦଳରେ ୯ ଘଣ୍ଟା କାର୍ଯ୍ୟ କରିବାକୁ ପଡୁଛି। ଦିନବେଳା ୬ ଘଣ୍ଟା ଡ୍ୟୁଟି କରୁଥିବା ବେଳେ ରାତିରେ ପୁଣି ୩ ଘଣ୍ଟା ଲେଖାଏଁ ଡ୍ୟୁଟି କରୁଛନ୍ତି। ଅନ୍ତେବାସୀଙ୍କ ନିୟମିତ ଉପସ୍ଥାନ ନେବା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା ବୁଝିବା, ସାକ୍ଷାତକାର କରାଇବା ଭଳି ବିଭିନ୍ନ କାର୍ଯ୍ୟ କରିବାକୁ ପଡୁଛି।