ମାଲକାନଗିରି, ୧୫ ଅଗଷ୍ଟ – ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାନ୍ତିପୁର୍ଣ୍ଣ ଭାବେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବିଶେଷ କରି କଡା ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମାଲକାନଗିରି ଜିଲ୍ଲା ଦଣ୍ଡକାରଣ୍ୟ ପଡିଆ ଠାରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।
ଏହି ଜିଲ୍ଲାସ୍ତରୀୟ ପ୍ୟାରେଡରେ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତରୁଣକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ସହ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ । ଯେଉଁ ମହାନ ମାନବ, ବରପୁତ୍ର ନିଜର ଅସୀମ ତ୍ୟାଗ, ଆତ୍ମବଳୀ ପ୍ରତିଦାନରେ ଆମପାଇଁ ସ୍ଵାଧୀନତା ଆଣି ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ କରିଛନ୍ତି, ସେମାନେ ଆମର ଏବେ ବି ଚିରସସ୍କରଣୀୟ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ, ଅନେକ ଜାତି, ଭାଷା, ଧର୍ମ, ବିଶ୍ଵାସ, ସଂସ୍କୃତି, ପମ୍ପରାକୁ ଆମେ ବଜାୟ ରଖିବା । ମାଲକାନଗିରି ଜିଲ୍ଲା ହେଉଛି ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ, ସହିଦ ତାମଦୋରାଙ୍କ ମାଟି, ସେ ଦେଶକୁ ଇଂରେଜଙ୍କ କବଳରୁ ଉଦ୍ଧାର କରିବା ପାଇଁ ଶହୀଦ ହୋଇଗଲେ । ଏହି ମାଟିରେ ଅନେକ ସଂଗ୍ରାମୀଙ୍କର ରକ୍ତ ପ୍ରବାହିତ ହେଉଛି। ଜିଲ୍ଲା ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମୁଖ୍ୟଅତିଥି ଶ୍ରୀ ବେହେରା କହିଥିଲେ। ଏହି ଜିଲ୍ଲୀସ୍ତରୀୟ ପ୍ୟାରେଡରେ ଆରକ୍ଷୀବାହିନୀ , ପୁଲିସର ବ୍ୟାଣ୍ଡପାର୍ଟିକୁ ମିଶାଇ ମୋଟ ୨୯ଟି ଦଳ ଭାଗ ନେଇଥିଲେ । ମାଟ୍ରିକ ଓ ଯୁକ୍ତ ଦୁଇ ଟପ୍ପର ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ କର୍ମୀ, ପୁଲିସ କର୍ମଚାରୀ ଏବଂ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କ ସହ ୩୨ ଜଣଙ୍କୁ ପୁରସ୍କୃତ ସହିତ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ଉତ୍ତମ ପ୍ୟାରେଡ଼ ପ୍ରଦର୍ଶନ ଓ ସୁନ୍ଦର ପୋଷାକ ପାଇଁ ୫ଟି ଦଳ ପୁରସ୍କୃତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଳ ସିଂ, ଏସପି ନିତେଶ ୱାଧାନୀ, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକ , ସାମ୍ବାଦିକ, ବୁଦ୍ଧିଜିବୀ, ଶିକ୍ଷାବିତ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ରିଜର୍ଭ ପୁଲିସ ଇନ୍ସପେକ୍ଟର କମାଣ୍ଡାଣ୍ଟ ଜ୍ୟୋତି କୁମାର କିରୋ, ସେକେଣ୍ଡ କମାଣ୍ଡେଟିଂ ଭାବେ ତ୍ରୀଲୋଚନ ସେଠୀ ପ୍ୟାରେଡ୍ ପରିଚାଳନା କରିଥିଲେ । ସ୍ଵାଧୀନତା ଦିବସ ଅବସରରେ ପ୍ୟାରେଡ ସ୍ଥଳରେ ବ୍ୟାପକ ପୋଲିସ ସହିତ ସୀମା ସୁରକ୍ଷା ବାହିନିଙ୍କୁ ମୁତୟନ କରାଯାଇଥିଲା ।