ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ପୋଖରୀ ହିଡ଼ରେ ଗତ ଜୁନ୍ ୨୮ ତାରିଖ ବିଳମ୍ବିତ ରାତିରେ ଲାଠି ଗ୍ରାମର ବିଘ୍ନରାଜ ପୁରୋହିତ ଓ ଶିବରାମ ଗୌଡ଼ ନାମକ ଦୁଇ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ପୋଡ଼ି ଦିଆଯାଇଥିବା ଘଟଣାରେ ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ମହୁଡ଼ା ଗ୍ରାମର ଟୁକୁନା ନାହାକ, କୃଷ୍ଣ ସାହୁ ଓ ଜଗନ୍ନାଥ ଦଳେଇ । ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ। ଏବେ ଆଉ ୩ ଜଣଙ୍କୁ ଗିରଫ ପରେ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୯ରେ ପହଂଚିଛି ।
ପୂର୍ବରୁ ଏହି ଘଟଣାରେ କେସ୍ ନଂ ୨୩୫/୨୩ ପ୍ରକାରେ ମହୁଡ଼ା ଗ୍ରାମର ପୂର୍ବତନ ସରପଂଚ ସଞ୍ଜୟ ସାହୁ, ଅପୂର୍ବ ବସ୍ତିଆ, ପବିତ୍ର ନାହାକ, ଶିବରାମ ଚର୍ଚ୍ଚି, ଜଗନ୍ନାଥ ନାହାକ ଓ ଦୁଃଖୀରାମ ମାଝିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା ।
ସୂଚନାଯୋଗ୍ୟ, ଅପରାଧ ମାମଲାରେ ଜଡ଼ିତ ରହିଥିବା ଦୁଇ ସାଙ୍ଗ ଲିଟୁ ଓ ଶିବ ବିଭିନ୍ନ ସମୟରେ ମହୁଡ଼ା ଗ୍ରାମକୁ ଯାଇ ମହିଳାଙ୍କୁ ଅସଦାଚରଣ କରିବା ସହିତ ଗ୍ରାମରେ ଲୋକଙ୍କୁ ଭୟଭିତ କରାଇ ଦାଦାବଟି ଆଦାୟ କରୁଥିଲେ । ଏଥିରେ ମହୁଡ଼ା ଗ୍ରାମବାସୀ ଅତିଷ୍ଠ ହୋଇ ଆଇନ୍ କୁ ହାତକୁ ନେବା ସହ ପଥରରେ ଛେଚି ଉଭୟଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ଏବଂ ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପୋଡ଼ି ଦେଇଥିଲେ । ଖବର ପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭର୍ତା ଓ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଘଟଣାସ୍ଥଳରେ ପହଂଚି ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲେ ।