ଭୁବନେଶ୍ୱର : ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ । ଗତକାଲିର ଘୂର୍ଣ୍ଣିବଳୟ ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତୀ ଉତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତରପଶ୍ଚିମ-ପାର୍ଶ୍ୱବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇ ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଘୂର୍ଣ୍ଣିବଳୟ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ କିଛି ଜିଲ୍ଲାଗୁଡିକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ହେତୁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବା ସହ ପାହାଡିଆ ଅଂଚଳରେ ଭୂସ୍ଖଳନ, ତଳିଆ ଅଂଚଳରେ ପାଣିପଶିଯିବା ଭଳି ସମସ୍ୟା ସୃଷ୍ଟି ହୋଇପାରେ । ସେହିପରି କଚ୍ଚା ରାସ୍ତା ଓ ଘର ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷିତ ସ୍ଥାନରେ ରହିବା, ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ବେଳେ ଚାଷକ୍ଷେତରେ କେମିକାଲ ବା ସାର ପ୍ରୟୋଗ ନକରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୯ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ନୂଆପଡା,ସୋନପୁର, ବୌଦ୍ଧ,ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ,ଗଜପତି ଓ ରାୟଗଡା । ସେହିପରି ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ହେବାର ସମ୍ଭାବନା ଥିବା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡା, ବରଗଡ,ଦେବଗଡ, ଅନୁଗୁଳ,ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର । ଏହା ବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।