ଭୁବନେଶ୍ୱର : କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ୱ ଠକେଇ ମାମଲାରେ ଏସଟିଏ ସଂସ୍ଥାର ଆନ୍ତର୍ଜାତୀୟ ମୁଖ୍ୟ ଡେଭିଡ ଗେଜଙ୍କ ବିରୋଧରେ ଲୁକ ଆଉଟ ସରକୁରାଲ ଜାରି ହୋଇଛି । ବ୍ୟୁରୋ ଅଫ ଇମିଗ୍ରେସନ ଏହି ଲୁକ ଆଉଟ ସରକୁରାଲ ଜାରି କରିଛି । ଓଡ଼ିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ପୂର୍ବରୁ ଲୁକ ଆଉଟ ସରକୁରାଲ ଜାରି କରିବାକୁ ବ୍ୟୁରୋ ଅଫ ଇମିଗ୍ରେସନକୁ ଅନୁରୋଧ କରିଥିଲା ।
ସୂଚନା ଅନୁଯାୟୀ ଏସଟିଏ ଟୋକେନ୍ ସଂସ୍ଥା କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା । ଏହି ସଂସ୍ଥା ମୁଖ୍ୟତଃ ୟୁରୋପର ଆଇସଲ୍ୟାଣ୍ଡରୁ ପରିଚାଳତ ହେଉଥିଲା, ଏହାର ମୁଖ୍ୟ ଡେଭିଡ୍ ଗେଜ୍ ବିଭିନ୍ନ ସମୟରେ ଭାରତକୁ ଆସି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ବୁଲି ରାତାରାତି ଧନୀ ହେବାର ସ୍ୱପ୍ନ ଦେଖାଇ ଲୋକଙ୍କୁ ସଦସ୍ୟ ହେବାକୁ ପ୍ରବର୍ତାଉଥିଲେ । ତେଣୁ ମାମଲାର ବିଦେଶ ଲିଙ୍କ୍ ନେଇ ମଧ୍ୟ ତଦନ୍ତ ହେଉଛି । କେଉଁମାନେ ବିଦେଶରୁ ଆସିଥିଲେ, କେଉଁମାନଙ୍କୁ ସଂସ୍ଥା ବିଦେଶ ପଠାଇଛି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ଅଭିଯୁକ୍ତ ଦୁଇଜଣ କେତେଥର ବିଦେଶ ଯାଇଥିଲେ ଓ କେଉଁ କେଉଁ ସ୍ଥାନକୁ; ଏହାର ମଧ୍ୟ ଖୋଳତାଡ଼ ହେଉଛି । ଏହାସହିତ ଆର୍ôଥକ କାରବାର ତଥ୍ୟ ପାଇଁ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି ।
ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କା ଠକେଇ କରିଥିବା ଏହି ରାକେଟ୍ ର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁକୁ ଇଓଡବ୍ଲୁ ଟିମ୍ ରାଜସ୍ଥାନର ଗଙ୍ଗାନଗରରୁ ଗିରଫ କରିଥିବାବେଳେ ପୂର୍ବରୁ ସଂସ୍ଥାର ଓଡ଼ିଶା ମୁଖ୍ୟ ଭଦ୍ରକର ନିରୋଦ ଦାସକୁ ଗିରଫ କରାଯାଇଥିଲା । ସୋସିଆଲ ମିଡିଆ ମୁଖ୍ୟ ରତ୍ନାକର ପଲେଇକୁ ବି ଗିରଫ କରାଯାଇଥିଲା ।