ସମ୍ବଲପୁର ଆଗାମୀ ସେପ୍ଟେମ୍ବର ୨୦ରେ ପଶ୍ଚିମାଂଚଳର ମହାନ୍ କୃଷିଭିତିକ ଗଣପର୍ବ ନୂଆଁଖାଇ ପଡ଼ୁଥିବା ଯୋଗୁଁ ସରକାରୀ କ୍ୟାଲେଣ୍ଡରରେ ମାତ୍ର ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ଗତବର୍ଷ ବହୁ ବାଦବିବାଦ ପରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ନୂଆଁଖାଇର ପରବର୍ତୀ ଦିନଟିକୁ ଛୁଟି ଘୋଷଣା କରାଯାଇଥିଲା । ପଶ୍ଚିମାଂଚଳର ବହୁ ଲୋକ ରୋଜଗାର ପାଇଁ ଓ ତତ୍ସଙ୍ଗେ ସାଙ୍ଗେ ହଜାର ହଜାର ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟର ତଥା ଦେଶର ବିଭିନ୍ନ ସ୍ଥାନରେ ରୁହନ୍ତି । ନୂଆଁଖାଇ ପାଇଁ ସମସ୍ତେ ନିଜ ନିଜ ଘରକୁ ଆସି ସପରିବାର ନବାନ୍ନ ଭକ୍ଷଣ କରିଥାଆନ୍ତି । ନୂଆଁଖାଇର ପୂର୍ବଦିନ ଶ୍ରୀଗଣେଶ ପୂଜା ଥିବା ଯୋଗୁଁ ଘରକୁ ଆସିବାରେ ଲୋକଙ୍କର କୌଣସି ଅସୁବିଧା ହୋଇନଥାଏ, ମାତ୍ର ନୂଆଁଖାଇ ପାଳନ କରି ଦୂରଦୂରାନ୍ତକୁ ଫେରିବା ଯିବା ପାଇଁ ଅତିକମରେ ଗୋଟିଏ ଦିନ ଛୁଟିର ଆବଶ୍ୟକତା ରହିଛି । ତତ୍ସହ ବିଭିନ୍ନ ସମୟରେ ନୂଆଁଖାଇ ପରବର୍ତୀ ଦିନ ରଜ୍ୟ ସରକାରଙ୍କର କୌଣସି ନା କୌଣସି ଶିକ୍ଷାନୁଷ୍ଠାନଗୁଡ଼ିକର ପରୀକ୍ଷା କିମ୍ୱା ସରକାରୀ ନିଯୁକ୍ତ ପରୀକ୍ଷାର ସୂଚୀ ରହିଥିବା ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଶିକ୍ଷକ ନିଯୁକ୍ତ ପରୀକ୍ଷାର ସଂସ୍କୃତ ଶିକ୍ଷକ ନିଯୁକ୍ତର ପରୀକ୍ଷା ରହିଛି । ତେଣୁ ନୂଆଁଖାଇ ସାରିବା ପରେ ଠିକ୍ ତା’ ପରବର୍ତୀ ନିଜ ଦୂର ଦୂରାନ୍ତରେ ରହିଥିବା ପରୀକ୍ଷା କେନ୍ଦ୍ରକୁ ପହଂଚି ପରୀକ୍ଷା ଦେବା ସମ୍ଭବପର ନୁହେଁ । ଏଣୁ ଏହାକୁ ଉପଲବ୍ଧି କରି ସ୍ଥାନୀୟ ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମାଂଚଳ ଏକତା ମଂଚ ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ଏକ ଦୁଇଦଫା ଦାବିପତ୍ର ପ୍ରଦାନ କରିଛି । ଦାବିପତ୍ରରେ ନୂଆଁଖାଇ ପରବର୍ତୀ ଦିନକୁ ମଧ୍ୟ ରାଜ୍ୟବ୍ୟାପୀ ସରକାରି ଛୁଟି ଭାବରେ ଘୋଷଣା କରାଯାଉ ଓ ନୂଆଁଖାଇ ପରବର୍ତୀ ଦିନ ରହିଥିବା ସଂସ୍କୃତ ଶିକ୍ଷକ ପରୀକ୍ଷାର ସୂଚୀକୁ ପରିବର୍ତନ କରାଯାଉ ।
ଆଜି ଉତରାଂଚଳ ରାଜସ୍ୱ ଆୟୁକ୍ତଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଆଲୋଚନା କରି ମଂଚର ସଦସ୍ୟ ସଦସ୍ୟାମାନେ ଦାବିପତ୍ର ପ୍ରଦାନ କରିଥିଲେ ।
ମଂଚର ସଂଯୋଜିକା ପଙ୍କଜିନୀ ମେହେରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଝୁନୁ ତ୍ରିପାଠୀ, ସୁଜାତା ଗୁରୁ, ଶ୍ୱତିକା ନୟକ, ତୃପ୍ତିମୟୀ ପଣ୍ଡା, ଜନନୀ ମିଶ୍ର, ଦେବୀ ପ୍ରସାଦ ଭୋଇ, ଲଳିତ ମୋହନ ବେବର୍ତା, ବାବଲୁ ବାଗ, କୃଷ୍ଣଚନ୍ଦ୍ର ବାଗ, ଶଙ୍କର ମେହେର, ଶରତ ବହିଦାର, ଶାନ୍ତନୁ ପାଢ଼ୀ, ନିଶିକାନ୍ତ ବିଶ୍ୱାଳଙ୍କ ସମେତ ମଂଚର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।