ଭୁବନେଶ୍ୱର : ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପଟ୍ଟନାୟକ । ସେ କହିଛନ୍ତି, ଚିଠିରେ ଥିବା ଦସ୍ତଖତକୁ ନେଇ ମୋର ସନ୍ଦେହ ଅଛି ।
ସେ କହିଛନ୍ତି ସଭାପତି ଭାବରେ ନବୀନବାବୁ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଚ୍ଛାଧୀନ ବ୍ୟାପାର । ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ୱାଭାବିକତା ନାହିଁ । ଏହି ପଦ ହରାଇଲି ବୋଲି କିଛି ହରାଇଲା ଭଳି ମୋତେ ଲାଗୁନାହିଁ । କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ । ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ । ଉପସଭାପତି ପଦ କେବଳ ଆଳଙ୍କରିକ ଥିଲା ।
ଏଥିସହ ସେ ଆହୁରି ମଧ୍ୟ କରିଛନ୍ତି ଯେ ଯେଉଁ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦସ୍ତଖତ ରହିଛି ତାହା ଅସଲି ନା ନକଲି ମୋର ସନ୍ଦେହ ହେଉଛି । କାରଣ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦୁଇ ମିନିଟର ସମୟ ମାଗିଥିଲି । ସେ ସମୟ ତ ମିଳିନାହିଁ, କିନ୍ତୁ ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି । ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ । ସେହିପରି ରାଜନୀତି ଗୋଟିଏ ନିଷ୍ପତିରେ ସରିଯାଏନାହିଁ ବୋଲି ସେ କହିଛନ୍ତି ।