ଭୁବନେଶ୍ୱର : ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛନ୍ତି । ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।
ଏ ଆଇସିସିର ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ବିଭାଗର ଜାତୀୟ ସଂଯୋଜକ କେ ରାଜୁ କହିଲେ ଗତ ଦୁଇ ଦିନ ଧରି ରାଜ୍ୟର ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ନେତୃବୃନ୍ଦମାନଙ୍କୁ ନେଇ ବୈଠକ ବସିଥିଲା । କିଭଳି ଭାବରେ ଜିଲ୍ଲାସ୍ତର ଠାରୁ ଆରମ୍ଭକରି ବ୍ଲକସ୍ତର ଏବଂ ପଂଚାୟତ ଓ ବୁଥସ୍ତରରେ ନେତୃତ୍ୱ ବିକାଶ ମିଶନକୁ ଅତ୍ୟନ୍ତ ଦକ୍ଷତା ଓ ନିଷ୍ଠାର ସହିତ କାର୍ଯ୍ୟକାରୀ କରାଯିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ବର୍ଗର ନେତୃବର୍ଗଙ୍କୁ ଚିହ୍ନଟ କରିବା ସହିତ ନେତୃତ୍ୱ ନେବାର ସେମାନଙ୍କର ଦକ୍ଷତାକୁ ବିକାଶ କରାଯିବ । ସେଥିପାଇଁ ବ୍ଲକ, ବିଧାନସଭା, ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟରେ ୫୭ଟି ବିଧାନସଭା କ୍ଷେତ୍ରରେ କିଭଳି ଭାବରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ନେତୃବର୍ଗମାନେ ଆସନ୍ତା ବିଧାନସଭା ନିର୍ବାଚନ ଏବଂ ସଂସଦୀୟ ନିର୍ବାଚନରେ କିଭଳି ଆଶାତୀତ ସଫଳତା ପାଇବେ ସେଥିପାଇଁ ସମସ୍ତ ଖସଡ଼ା ପ୍ରସ୍ତୁତ କରାଯାଇଛି । ଜିଲ୍ଲାସ୍ତରରେ ନେତୃତ୍ୱ ବିକାଶ ଟିମ ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲା ସଭାପତି ଅଧ୍ୟକ୍ଷ ରହିବେ ଏବଂ ଜିଲ୍ଲାସ୍ତରର ନେତୃତ୍ୱ ବିକାଶ ମିଶନର ସଂଯୋଜକ ଆବାହକ ରହିବେ । ଏହି କମିଟିରେ ଜିଲ୍ଲାର ସମସ୍ତ ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗ, ପଂଚାୟତରାଜ ବିଭାଗର ନେତୃବର୍ଗ, ରାଜୀବଗାନ୍ଧୀ ପଂଚାୟତରାଜର ନେତୃବର୍ଗ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଛାତ୍ର, ଯୁବ, ମହିଳା କଂଗ୍ରେସ, ସେବାଦଳ, କିଷାନ କଂଗ୍ରେସର ନେତୃବୃନ୍ଦ ସଦସ୍ୟ ରହିବେ । ସେହିଭଳି ଭାବରେ ନିମନ୍ତ୍ରିତ ସଦସ୍ୟ ମଧ୍ୟ ରହିବେ । ଜିଲ୍ଲା ସ୍ତରର ନେତୃତ୍ୱ ବିକାଶ ଦ୍ୱାରା ଏସସି,ଏସଟି,ଓବିସି ଓ ସଂଖ୍ୟାଲଘୁ ସଂପ୍ରଦାୟର ଅଭାବ ଅସୁବିଧା ଓ ମୌଳିକ ସମସ୍ୟାକୁ ନେଇ ଜନଆନ୍ଦୋଳନ ସୃଷ୍ଟି କରାଯିବ ।
ଅନ୍ୟପକ୍ଷରେ ବ୍ଲକ ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠାରେ ସ୍ଥାନୀୟ ସମସ୍ୟା ବିଶେଷକରି ରାସ୍ତା ସମସ୍ୟା, ବିଭିନ୍ନ ଯୋଜନା ରୂପାୟନରେ ଦୁର୍ନୀତି ଏବଂ ଉଦାସୀନତା, ଆବାସ ଯୋଜନାରେ ପ୍ରୀୟାପ୍ରିତ ପୋଷଣ, ମହଙ୍ଗାମାଡ, ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତତାକୁ ନେଇ ମଧ୍ୟ ଏହି କମିଟି ତାର ଜନସେଚତନତା ବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବ । ଏପରିକି ଭୋଟର ଲିଷ୍ଟ ସଂଶୋଧନ ଏବଂ ନୂଆ ଭୋଟର ତାଲିକା ପ୍ରସ୍ତୁତିରେ ମଧ୍ୟ କାର୍ଯ୍ୟକରିବା ଏହି ସଂଗଠନର କାର୍ଯ୍ୟକ୍ରମର ଅଂଶବିଶେଷ । ଆସନ୍ତା ଦିନରେ ନେତୃତ୍ୱ ବିକାଶ ମିଶନ ଦ୍ୱାରା ଉପରୋକ୍ତ ବର୍ଗର ଲୋକଙ୍କର ନିିକଟତର ଏବଂ ବିଶ୍ୱାସଭାଜନ ହେବାପାଇଁ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ ଘଂଟା ସମୟରେ ନେତୃତ୍ୱ ବିକାଶ ମିଶନ ଏବଂ ଜିଲ୍ଲା ସଭାପତିମାନଙ୍କର ଏକ ଓରିଏନଟେସନ ପୋଗ୍ରାମ ଆୟୋଜିତ ହୋଇଥିଲା । ଏଠାରେ ବ୍ଲକ, ବିଧାନସଭା, ଜିଲ୍ଲା ଏବଂ ଜୋନ ସ୍ତରୀୟ କମିଟି ଗଠନ ଓ କମିଟିର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଓ ସମୟସୀମା ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀ ରାଜୁ ଏହି କମିଟିର କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପଷ୍ଟଭାବେ ବୁଝାଇବା ସହ ଭିନ୍ନ ଭିନ୍ନ ସ୍ତରରେ ଏହି କମିଟିରେ ଯେଉଁମାନେ କାର୍ଯ୍ୟ କରିବେ ସେମାନଙ୍କର ଦାୟୀତ୍ୱବୋଧ ସମ୍ପର୍କରେ ସୂଚନା ଦେଇଥିଲେ ।
ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ନେତୃତ୍ୱ ବିକାଶ ମିଶନ ତୃଣମୂଳସ୍ତରରେ ତାର କାର୍ଯ୍ୟକ୍ରମ ଆରମ୍ଭ କରି ଓଡ଼ିଶାରେ ଘରେ ଘରେ ପଂହଚିବ ବୋଲି ଏଠାରେ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ ।