ନୂଆଦିଲ୍ଲୀ : ନିର୍ବାଚନ କମିଶନର ନିଯୁକ୍ତି ସମ୍ପର୍କିତ ବିଲ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ସୁପ୍ରିମକୋର୍ଟ ନିଜେ ତାଙ୍କର ରାୟରେ ଏପରି କରିବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ କୌଣସି ନିୟମ ନାହିଁ । ତେଣୁ ଏଥିପାଇଁ ନିୟମ ଆଣିବାକୁ ସରକାରଙ୍କୁ ସୁପ୍ରିମକୋର୍ଟ କହିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏକ ଚୟନ କମିଟି ନିୟମ ତିଆରି କରିବା ପର୍ଯ୍ୟନ୍ତ ନିଷ୍ପତ୍ତି ନେବ । ୧୯୯୧ରେ ନିର୍ବାଚନ କମିଶନରଙ୍କ ସେବା,ବେତନ ଓ ଭତ୍ତା ସମ୍ପର୍କିତ ଏକ ବିଧେୟକ ଅଣାଯାଇଥିଲା ।ଏହି ବିଧେୟକରେ ନିଯୁକ୍ତି ସମ୍ପର୍କିତ କୌଣସି ଚର୍ଚ୍ଚା ନାହିଁ । ଏବେ ସରକାର ନିର୍ବଚନ କମିଶନରଙ୍କ ନିଯୁକ୍ତି ଉପରେ ବିଧେୟକ ଆଣିଛନ୍ତି । ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଏକ କମିଟି ଗଠନ ହେବ । ଏହି ସର୍ଚ୍ଚ କମିଟିରେ କ୍ୟାବିନେଟ୍ ସଚିବ ଅଧ୍ୟକ୍ଷତା କରିବେ ଓ ଅନ୍ୟ ଦୁଇଜଣ ସଦସ୍ୟ ରହିବେ । ଏହି ସର୍ଚ୍ଚ କମିଟି ୫ ଜଣଙ୍କ ନାଁ ସୁପାରିଶ କରିବ । ତେବେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ କମିଟି ଏଥିରୁ ଜଣଙ୍କୁ ନିର୍ବାଚନ କମିଶନର ଭାବେ ଚୟନ କରିବେ । ତେବେ ଏହାକୁ ବିରୋଧୀ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଆଇନମନ୍ତ୍ରୀ ।
ଗୁରୁବାର ରାଜ୍ୟସଭାରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବାସର୍ତ୍ତ ଓ କାର୍ଯ୍ୟାଳୟ ଅବଧି) ବିଲ୍ ଆଗତ ହୋଇଥିଲା । ଏହି ବିଲ୍ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଚୟନ କରିବେ ।