ଧର୍ମଶାଳା : ଯାଜପୁର ଜିଲାରେ ଜେନାପୁର ଥାନାର ଗୁରୁତ୍ଵ ରହିଛି । ଲଘୁ ଖଣିଜ ସମ୍ପଦ ପରିପୂର୍ଣ୍ଣ ଏହି ଅଂଚଳ । ଜେନାପୁର ଥାନାରେ ଥାନାଧିକାରୀ ନାହାନ୍ତି । ଯାହା ଫଳରେ ଏବେ ଲୁଟେରାଙ୍କ ଭୂସ୍ଵର୍ଗ ପାଲଟିଛି । ପାଖାପାଖି ୨ ମାସ ହେବ ଏଠାରେ ଅଧିକାରୀଙ୍କ ବିନା ଥାନା ଚାଲୁଛି । ଏବେ ଦିନକୁ ଦିନ ଚୋରୀ ଓ ଲୁଟେରାଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହାକୁ ନେଇ ଏହି ଥାନା ଅଧନରେ ଥିବା ପଂଚାୟତର ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି । ପୂର୍ବରୁ ଧର୍ମଶାଳା ଥାନା ପକ୍ଷରୁ ଏହି ଅଂଚଳର ଦାୟିତ୍ଵରେ ରହିଥିଲା । ଅନ୍ୟପକ୍ଷରେ ଏଠାରେ ବହୁ କଳାପଥର ପାହାଡ ରହିଛି । ଦିନ ରାତି ଏକ କରି ଲୁଟେରାମାନେ ଏଠାରୁ କଳାପଥର ଲୁଟ କରିବା ଯାଜପୁର ଜିଲାରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିଲା । ଯାହାକୁ ଦୃଷ୍ଟିରେ ରଖି ଜେନାପୁରକୁ ଥାନାରେ ପରିଣତ କରାଗଲା । ପାଖାପାଖି ୨ ମାସହେବ ଥାନାଧିକାରୀ ଭାବେ ଉମାକାନ୍ତ ନାୟକଙ୍କ ପଦୋନ୍ନତି ହେବା ପରେ ଏହି ସ୍ଥାନ ଖାଲି ପଡିଛି । ହେଲେ ଅଦ୍ୟାବଧି ନୂତନ ଥାନା ଅଧିକାରୀଙ୍କୁ ନିଯୁକ୍ତି ମିଳି ନାହିଁ । କେବଳ ଥାନା ଅଧିକାରୀ ନୁହନ୍ତି ଏପରିକି ବହୁ କର୍ମଚାରୀଙ୍କ ଅଭାବ ରହିଛି । ଥାନା ଅଧିକାରୀ ନ ଥିବାରୁ ରାତି ସମୟରେ ପାଟ୍ରୋଲିଂ ହେଉ ନ ଥିବା ବେଳେ ଅଂଚଳରେ ଲୁଟେରାମାନେ ସକ୍ରୀୟ ହୋଇ ପଡିଛନ୍ତି । ଦିନଦ୍ଵିପ୍ରହରରେ ଲୁଟପାଟ ହେଉଥିବା ବେଳେ ଚୋରି ଡକାୟତି ନୀତି ଦିନିଆରେ ଘଟଣାରେ ପରିଣତ ହେଲାଣି । ଏଭଳି ଗୁରୁତ୍ଵପୁର୍ଣ୍ଣ ଥାନାରେ ଅଧିକାରୀ ନ ଥିବାରୁ ଅଂଚଳରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଯାହାକୁ ନେଇ ଅଂଚଳବାସୀ ଜିଲା ପ୍ରଶାସନକୁ ଦାୟୀ କରିଛନ୍ତି । ଏ ଦିଗରେ ଯାଜପୁର ଆରକ୍ଷୀ ଅଧିକ୍ଷକ ତୁରନ୍ତ ଏହି ଥାନା ପ୍ରତି ନଜର ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ତେବେ ଜେନାପୁର ଥାନାରେ କେବେ ପଦବୀ ପୁରୁଣ ହେଉଛି ତାହା ସାଧାରଣ ଲୋକେ ଚାହିଁ ବସିଛନ୍ତି ।