
ସୁବର୍ଣ୍ଣପୁର : ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାରେ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ତରଫରୁ ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଵିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ଵରଞ୍ଜନ ପତି, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ରାଧାକାନ୍ତ ଗଡତ୍ୟା, ସ୍ଵାସ୍ଥ୍ୟ ଅଧିକାରୀ ପି.ଏଚ.ସି. ନାଇକେନପାଲି ଡାକ୍ତର ରାମଶଙ୍କର ତ୍ରିପାଠୀ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ଡି.ପି.ଏମ. ଏନ.ଏଚ.ଏମ. ବିଶ୍ଵମ୍ବର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳତା ପାଇଁ ଜିଲ୍ଲାପାଳ ରାୟ ଗୁରୁତ୍ଵାରୋପ କରିବା ସହ ସମସ୍ତେ ନିଶ୍ଚୟ ଔଷଧ ଖାଇବା ଓ ଜିଲ୍ଲାକୁ ଫାଲେଇରିଆ ମୁକ୍ତ କରିବାକୁ ଆହ୍ଵାନ ଦେଇ ଜିଲ୍ଲାର କେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁରହିବ ।
ଆଜି ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଛାତ୍ର ଛାତ୍ରୀ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ବିଭାଗୀୟ ଅଧିକାରୀ, ଜିଲ୍ଲାର ବରିଷ୍ଠ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ଔଷଧ ସେବନ କରିଥିଲେ। ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂଯୋଜକ ଫାଇଲେରିଆ ଜବକିମ୍ସନ ପଧାନ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଚନ୍ଦ୍ରଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।