ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦାବୀ କଲେ ସାଂସଦ
ଭୁବନେଶ୍ୱର, 25 ଅଗଷ୍ଟ – ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି । ରାଜ୍ୟର ସବୁ ଅଂଚଳରେ ଯେଉଁ ଜମି ଦୁର୍ନୀତି ହେଉଛି ଏହା ପଛରେ ପ୍ରଭାବଶାଳୀ ଲୋକମାନଙ୍କର ହାତ ରହିଛି । ଯେଉଁମାନଙ୍କର ଲିଙ୍କ୍ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ସହ ରହିଛି । ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ ଅଭିଯୋଗ କରିଛୱନ୍ତି ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ ଚାଲିଛି । ସରକାରୀ ଅଧିକାରୀ ଯିଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏହା ହେଉଛି ତାଙ୍କର ଆଉ ଏକ ରୂପ । ସେ କହିଛନ୍ତି ଯେ ଭୁବନେଶ୍ୱରରୁ ୧୫ କିମି ଦୂରରେ ଏହି ଜମି ହଡ଼ପ ପ୍ରକଳ୍ପ ଚାଲିଛି । ଭଗବତୀପୁର ମୌଜା, ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇ ବିଳାସପୂର୍ଣ୍ଣ ଫାର୍ମ ହାଉସ୍ ତିଆରି ହୋଇଛି । ସେସବୁ ଅନାବାଦୀ, ଜଙ୍ଗଲ, ଦେବ ଜମି, କିଛି ବ୍ୟକ୍ତିଗତ ଜମି ବି ଅଛି ।
ଚଳିତ ମାସ ଅଗଷ୍ଟ ୪, ୧୫ ଏବଂ ୨୦ ତାରିଖରେ ବିଭିନ୍ନ ଅଭିଯୋଗ ପାଇବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଅଗଷ୍ଟ ୨୧ ତାରିଖରେ ଚନ୍ଦକାର ନିକଟବର୍ତୀ ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଅର୍ଥ ବଳ ଓ ବାହୁବଳ ପ୍ରୟୋଗ ସହିତ ଉଚ୍ଚ ସରକାରୀ ପ୍ରଭାବ ଦ୍ୱାରା କିଭଳି ଜମି ଅକ୍ତିଆର କରାଯାଇଥିଲା ଏବଂ ଏହି ଜମିରେ ଅୟସ ପାଇଁ ପ୍ରାଚୁର୍ଯ୍ୟତା ଭରିରହିଥିଲା, ତାହାର ଅଭିଯୋଗ ଗ୍ରାମବାସୀମାନେ କରିଥିଲେ । ସରକାରୀ ଜମି, ଦେବସ୍ଥଳୀ ଓ ବେସରକାରୀ ଜମି ଅକ୍ତିଆର- ଦେଖାଯାଇଥିଲା ଯେ ୧୫୦ ଏକର ପରିମିତି ଜାଗା ତାରବାଡ ଦ୍ୱାରା ଘେରା ଯାଇଛି । ଅଧିକୃତ ଜମି ଭିତରେ ସରକାରୀ ଅନାବାଦୀ, ଛୋଟ ଜଙ୍ଗଲ ଜମି ରହିବା ସଂଗେ ସଂଗେ ଗରିବ ଓ ଅସହାୟ ଜନସାଧାରଣଙ୍କ ଜମିକୁ ଜବରଦଖଲ କରାଯାଇଛି । ଚାରିପଟେ ତାରବାଡ ବୁଲାଇ ରାସ୍ତା ଅବରୋଧ କରିଥିବାରୁ ଘରୋଇ ଜମିର ମାଲିକମାନେ ନିଜ ଜମିକୁ ଯିବା ପାଇଁ ଅସମର୍ଥ ହେଉଛନ୍ତି । ହାଲ କର୍ମଚାରୀମାନଙ୍କର ହାଉସିଂ ସୋସାଇଟି ଜାଗାକୁ ମଧ୍ୟ ତାରବାଡ ଦ୍ୱାରା ଘେରି ବନ୍ଧା ହୋଇଛି ବୋଲି ଜାଣିବାକୁ ମିଳିଛି । ଏହି ଜମି ସବୁ କ୍ରୟ କରିଥିବା ମହିଳା ତାମିଲନାଡୁର ଅଧିବାସୀ ଅଟନ୍ତି ଏବଂ ସେ କିଭଳି ଓଡିଶା ପ୍ରଦେଶରେ ଏତେ ପ୍ରଭାବ ବିସ୍ତାର କରି ଜମି ଦଖଲ କରୁଛନ୍ତି ତାହା ସନ୍ଦେହଜନକ ତଥା ଅନୁସନ୍ଧାନ ସାପେକ୍ଷ । ତୃତୀୟ ମହଲାର ପୃଷ୍ଠପୋଷକତାରେ ଏଭଳି କାର୍ଯ୍ୟ ଚାଲିଥିବା ଜନସାଧାରଣରେ ଆଲୋଚିତ ହେଉଛି । ଲୋକେ ଏହାକୁ “ପାଣ୍ଡିଆନ ପ୍ରୋଜେକ୍ଟ” ବୋଲି କହୁଛନ୍ତି ।
ଗ୍ରାମବାସୀମାନେ ଉପରୋକ୍ତ ଅଭିଯୋଗ କରିବାକୁଗଲେ, କୌଣସି ରେଭେନ୍ୟୁ ଅଫିସର କିମ୍ବା ପୋଲିସ ଅଫିସର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ପ୍ରଭାବଶାଳୀ ପ୍ରଶାସକଙ୍କର ନାମ ନେଇ ତାଙ୍କୁ ଚୁପ୍ କରାଇଦେଉଛନ୍ତି ।
ସେହିପରି ଜଳସେଚନ ପାଇଁ ଉଦ୍ଦିଷ୍ଟ ‘ଡେରାସ କେନାଲ’ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେଇ ବନ୍ଦ କରିଦିଆଯାଇଛି । ଡେରାସ ଡ୍ୟାମ୍ରୁ ଏହି କେନାଲ ମାଧ୍ୟମରେ ଚାଷୀମାନଙ୍କର ଚାଷ ଜମି ଜଳସେଚିତ ହେଉଥିଲା । କେନାଲକୁ ବନ୍ଦ କରିଦେବା ଦ୍ୱାରା ପ୍ରାୟ ୩୦୦ ଏକର ପରିମିତ ଜମି ଜଳସେଚନ ଅଭାବରୁ ୨ବର୍ଷ ହେବ ଫସଲ ହୋଇପାରୁନାହିଁ । ଜବରଦଖଲକାରିଣୀ କେନାଲଟିକୁ ଦଖଲ କରି ତାରବାଡ ଆବଦ୍ଧ ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ ଅବରୋଧ କରିଦେଇଛନ୍ତି ।
ତାରବାଡ ଦ୍ୱାରା ଆବଦ୍ଧ ଜମି ଉପରେ ଗୋଟିଏ ବିଶାଳ ଫାର୍ମ ହାଉସ ଗଢି ଉଠିଛି । ଏହି ଆବଦ୍ଧ କ୍ଷେତ୍ର ଭିତରେ ବଡବଡ ଗଛର ଗଣ୍ଡିମାନ କଟାଯାଇ ରଖାଯାଇଅଛି । ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି ବଡବଡ କାଠ ଗଣ୍ଡି ସଂରକ୍ଷିତ ରଖିବା ଅନୁସନ୍ଧାନ ସାପେକ୍ଷ । ବଡବଡ ଗ୍ରାନାଇଟ ଯାହା ଆନ୍ଧ୍ରପ୍ରଦେଶର ତିରୁପତି ଇଲାକାରେ ମିଳିଥାଏ, ତାହାକୁ ଏହି ଫାର୍ମ ହାଉସ ନିର୍ମାଣରେ ବ୍ୟବହାର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ଏବଂ ତାରବାଡ ଦ୍ୱାରା ଆବଦ୍ଧ କାର୍ଯ୍ୟ ଗତ ଦୁଇ ବର୍ଷ ଧରି ଚାଲି ଆସିଛି ।
ବର୍ତମାନର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ଜଣେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଅପହୃତ ହୋଇଛି, ଯାହା ଫଳରେ ଏଭଳି ଘଟଣାର ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିବ କି ନାହିଁ ତାହା ସନ୍ଦେହଜନକ । ସେ ଯାହା ହେଉନା କାହିଁକି ଭଗବତୀପୁର ଓ ଗିରିଙ୍ଗାପୁର ଗ୍ରାମର ଅଧିବାସୀମାନେ ଓଡିଶା ସରକାରଙ୍କଠାରୁ କିଛି ଉତର ଆଶା କରନ୍ତି । ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରଶ୍ନର ଜବାବ୍ ରଖିବା ଉଚିତ୍ ।
ଭୁବନେଶ୍ୱରର ଅତି ନିକଟରେ ଥିବା ଏହି ଦୁଇଟି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିବେକି? ଏବଂ କହିବେକି ଏହି ମାଫିଆମାନଙ୍କର ଜମି ଦଖଲ କରିବାରେ ତାଙ୍କ କାର୍ଯ୍ୟାଳୟର ଭୂମିକା ଅଛି ନା ନାହିଁ? ମୁଖ୍ୟମନ୍ତ୍ରୀ ମହୋଦୟ ସରକାରୀ ଜମି ତଥା ଦେବସ୍ଥଳୀ ଜବରଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇପାରିବେକି? ଜନସାଧାରଣଙ୍କ ନିକଟରେ ରାଜ୍ୟ ସରକାର ସୁନିଶ୍ଚିତ କରିବେକି ଏହି ଚଂଚକମାନେ ଭବିଷ୍ୟତରେ କୃଷକମାନଙ୍କର ଜମି କିମ୍ବା ସରକାରୀ ଜମିକୁ କେବେବି ଦଖଲ କରିପାରିବେନାହିଁ?
ଯଦି ଏହାର କିଛି ସନ୍ତୋଷଜନକ ଉତର ନମିଳେ ତେବେ ଜନ ସାଧାରଣଙ୍କର ଦୁଃଖ ଓ କ୍ରୋଧର ଶିକାର ଓଡିଶା ସରକାର ହେବେ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ରଙ୍କ ପରି କାର୍ଯ୍ୟ କଲେ ଭବିଷ୍ୟତ ଦିନରେ ଜନସାଧାରଣଙ୍କର ରୋଷର ଶିକାର ହେବେ ଏଥିରେ ସନ୍ଦେହ ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡଜେନା, ଡାକ୍ତର ବେହେରା ଏବଂ ପ୍ରଦୀପ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।