ଭୁବନେଶ୍ୱର : ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ହିଁ ଓଡିଶା ବିକାଶର ଲଂଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି । ଏହି ଅବସରରେ ଯୋଜନାର ପ୍ରଥମ ବସ୍ ରେ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣି ମାଲକାନଗିରିରୁ ଏମ୍.ଭି- ୦୩ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯାତ୍ରା କରି ସେଠାରେ ବିକ୍ୟୁଏସ୍ ର ଶୁଭାରମ୍ଭ କରିଥିଲେ ।
ପ୍ରାରମ୍ଭରେ ଉଚ୍ଛସିତ ଜନତାଙ୍କ ତାଳି, ସ୍ୱାଗତମ୍ ଧ୍ୱନି ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ମଧ୍ୟରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମାଲକାନଗିରିରୁ ହିଁ ଏକ ଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି” । ଓଡିଶାର ବିକାଶରେ ମାଲକାନଗିରିର ଭୂମିକା ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମା’ ମାନଙ୍କ ପାଇଁ ବିଏସକେୱାଇରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥାର ପ୍ରସ୍ତାବ ମାଲକାନଗିରି ରୁ ହିଁ ଆସିଥିଲା । ସେ ପୁଣି କହିଥିଲେ ଯେ ଆମର ଏହି ଲକ୍ଷ୍ମୀ ଯୋଜନାର ସଂପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ସେ ଲୋକଙ୍କ ଅସୁବିଧା ବିଷୟରେ ଜାଣିପାରିଥିଲେ । ତା ପରେ ଏହି ଲକ୍ଷ୍ମୀ ଯୋଜନାର ପରିପକଳ୍ପନା କରାଗଲା ବୋଲି ସେ କହିଥିଲେ । ଏହି ଯୋଜନା ଆମର ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ସାରା ରାଜ୍ୟରେ ଏକ ହଜାରରୁ ଅଧିକ ବସ୍ ଚାଲିବ । ମାଲକାନଗିରିରେ ଆଜି ୩୬ଟି ବସ୍ ଚାଲିଲା । ମାଲକାନଗିରିର ୧୧୧ଟି ପଞ୍ଚାୟତକୁ ବସ୍ ସୁବିଧା ମିଳିଲା । ଏସବୁ ପଂଚାୟତରେ ବିକାଶର ନୂଆ ଧାରା ଆରମ୍ଭ ହେଲା ବୋଲି ସେ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସହ ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ରେ ଲକ୍ଷ୍ମୀ ଯୋଜନାରେ ବସ ଚାଲିବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯୋଗାଯୋଗ ବିକାଶର ଆଧାର । ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଘର ପାଖକୁ ଆସିବ ବସ୍ । ପିଲାଙ୍କୁ ସ୍କୁଲ କଲେଜ ସହିତ ଯୋଡିବ । ଚାଷୀକୁ ମାର୍କେଟ ସହିତ ଯୋଡିବ । ରୋଗୀକୁ ହସ୍ପିଟାଲ ନେବ । ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ । ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୁବ ଶୀଘ୍ର ମାଲକାନଗିରି ଏଥିରେ ସାମିଲ ହେବ । ଏଥିରେ ଗାଁରେ ମିଳିବ ସହରର ସୁବିଧା । ବ୍ୟାଙ୍କିଂ, ଇଂଟରନେଟ, ଡିଜିଟାଲ ଭିତିଭୂମି ସବୁର ବିକାଶ ହେବା ସହିତ ଆମ ସଂସ୍କୃତିର ମଧ୍ୟ ପ୍ରସାର ହେବ ବୋଲି ସେ କହିଥିଲେ । ଗୁରୁପ୍ରିୟା ସେତୁର ଗୁରୁତ୍ୱ ସମ୍ପର୍କରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ମାଲକାନଗିରି ବିକାଶର ଏକ ବଡ ମାଇଲଷ୍ଟୋନ । ଏହି ସେତୁ ଜରିଆରେ ସ୍ୱାଭିମାନ ଅଂଚଳରେ ଆସିଛି ବିକାଶର ଆଲୋକ ।
ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଦୁଇ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତିପ୍ରସ୍ତର ମଧ୍ୟ ରଖିଥିଲେ । ସମସ୍ତଙ୍କ ସହଯୋଗରେ ଏହି କାମ ସବୁ ଠିକ୍ ସମୟରେ ଶେଷ ହେବ ଏବଂ ମାଲକାନଗିରିର ବିକାଶ ଆହୁରି ଉଜ୍ଜଳ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଲକ୍ଷ୍ମୀ ବସ୍ ଯୋଗୁ ମାଲକାନଗିରିର ଆଭ୍ୟନ୍ତରୀଣ ଅଂଚଳକୁ ବସ୍ ଚଳାଚଳ ହେବା ଫଳରେ ଗାଁ ଗହଳିର ଲୋକମାନେ ବହୁଳ ଭାବେ ଉପକୃତ ହେବେ । ଅନ୍ୟତମ ଅତଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା କହିଥିଲେ ଯେ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆଜି ଦିନଟି ଏକ ଐତିହାସିକ ଦିନ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ଫଳରେ ଆମ ଅଞ୍ଚଳର ବହୁତ ବିକାଶ ହୋଇଛି ।
ଅନ୍ୟତମ ଅତଥି ଭାବେ ଯୋଗ ଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା ଭାବନ୍ତି ତାକୁ ତୃଣମୂଳ ସ୍ତରରେ ଆରମ୍ଭ କରନ୍ତି । ଆଜି ୬ଟି ଜିଲ୍ଲାରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଛି । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ପଂଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଗାଡି ଚଳାଚଳ କରିବ । ଗ୍ରାମାଂଚଳର କୃଷକ, ଛାତ୍ରଛାତ୍ରୀ, ମା’ ଭଉଣୀ ସମସ୍ତେ ଏହା ମାଧ୍ୟମରେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ଦିଗ୍ଦର୍ଶନରେ ପ୍ରତି ବ୍ଲକରେ ବସ୍ ଷ୍ଟାଣ୍ଡ ନିର୍ମାଣ ହେଉଛି । ଏହା ବସ୍ ଚଳାଚଳ ବ୍ୟବସ୍ଥାରେ ଉନ୍ନତି ଆଣିବ ।