
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନର ଏସଡିପିଓ କାର୍ଯ୍ୟାଳୟ ପରିସରରେ ପୋଲିସ ଏସଡିପିଓ ପ୍ରଦୀପ ସାହୁଙ୍କ ଦ୍ୱାରା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଏସଡିପିଓ ଶ୍ରୀ ସାହୁ ଗଣମାଧ୍ୟମକୁ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣରେ ଚଢ଼ାଉ ଓ ସଫଳତା ନେଇ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ଚୋରାଚାଲାଣ ଘଟଣାରେ ପୋଲିସ ୨୧ କେଜି ଗଞ୍ଜେଇ ଜବତ କରିଛି । ଏହାସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା, ୪ଟି ମୋବାଇଲ, ଗୋଟିଏ ବାଇକ୍ ସହ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୁଚନା ଦେଇଛନ୍ତି । ସାହୁ କହିଛନ୍ତି ଯେ ବିଶେଷ ସୂତ୍ରରୁ ଖବର ପାଇଁ ସଦର ଥାନା ପୋଲିସ ରାସନପୁର ପାଖରେ ଏକ କାର ମଧ୍ୟରୁ ସନ୍ଦେହ ଜନକ ଅବସ୍ଥାରେ କିଛି ମାଲ ଏପଟେ ସେପଟ ହେଇଥିବା ଦେଖିବା ପରେ ଅଚାନକ ଚଢ଼ାଉ କରି ଏହି ସଫଳତା ପାଇଥିଲା । କନ୍ଧମାଳ ଗୋଛାପଡାରୁ ଛତିଶଗଡ଼ ରାଜ୍ୟ ଯସପୁରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଗଞ୍ଜେଇ ସହ ଜବତ ଗାଡ଼ିର ଆନୁମାନିକ ମୁଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଏସଡିପିଓ ସାହୁ ସୁଚନା ଦେଇଛନ୍ତି ।