ଭୁବନେଶ୍ୱର, 11 ଏପ୍ରିଲ – ବିଜେଡି ଛାଡ଼ିଛନ୍ତି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ଜ୍ୟୋତିଙ୍କ ସହ ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡି ଛାଡ଼ିଛନ୍ତି ।
ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଛନ୍ତି, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ । ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ । ଏବର ହୋହାଲ୍ଲା ଭିତରେ ଏକୁଟିଆ ଲାଗୁଛି । ଦଳର ନେତାଙ୍କୁ ଭେଟି ବି ହେଉନାହିଁ । ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଉଛି । ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ଡାକରାରେ ମୁଁ ଅଧ୍ୟାପିକା ଚାକିରି ଛାଡ଼ି ରାଜନୀତିକୁ ଆସିଥିଲି ବୋଲି ଜ୍ୟୋତି ପାଣିଗ୍ରାହୀ କହିଛନ୍ତି । ଟିକେଟ ପାଇଁ ଆଶାୟୀ ଥିଲେ ଜ୍ୟୋତି ପାଣିଗ୍ରାହୀ । ହେଲେ ତାଙ୍କୁ ଟିକେଟ ମିଳିନଥିଲା ।
ସେହିପରି ସରୋଜ ପାଣିଗ୍ରାହୀ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଲଗାତର ଭାବେ ମତେ ଅଣଦେଖା ଓ ଅବହେଳା କରାଯାଉଥିଲା । ଏଥିପାଇଁ ମୁଁ ଦଳ ଛାଡ଼ିଲି ।