
ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଆଜି ଅପରାହ୍ନ ୧ଟା ସମୟରେ ଦିଲ୍ଲୀରୁ କାନାଡ଼ା ଫେରିଛନ୍ତି । ତାଙ୍କ ବିମାନରେ ଯାନ୍ତ୍ରିକ ତୃଟି କାରଣରୁ ବିମାନଟି ଗତ ଦୁଇ ଦିନ ହେଲା ଉଡ଼ାଣ ଭରିବାରେ ଅସମର୍ଥ ଥିଲା । ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରେସ୍ ସଚିବ ମହମ୍ମଦ ହୁସେନ୍ ଏକ ବକ୍ତବ୍ୟରେ କହିଛନ୍ତି ଯେ, ବିମାନରେ ଦେଖାଦେଇଥିବା ଯାନ୍ତ୍ରିକ ତୃଟୀକୁ ଠିକ୍ କରାଯାଇଛି ।
ତାଙ୍କୁ ବିଦାୟ ଜଣାଇବାକୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ବିମାନ ବନ୍ଦରରେ ପହଂଚିଥିଲେ । ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ମୋର ଅନ୍ୟ ସାଥୀ ମନ୍ତ୍ରୀଙ୍କ ପକ୍ଷରୁ ଜି-୨୦ ରେ ଜଷ୍ଟିନ୍ ଟ୍ରୁଡୋଙ୍କ ଭାଗିଦାରୀ ପାଇଁ ତାଙ୍କୁ ଧନ୍ୟବାଦ । ଏଥିସହ ସେ ତାଙ୍କର ସଫଳ ଯାତ୍ରା କାମନା କରିଥିଲେ ।
ଜଷ୍ଟିନ୍ ଟ୍ରୁଡୋ ଜି-୨୦ ରେ ଅଂଶଗ୍ରହଣ କରିବାକୁ ପ୍ରତିନିଧି ମଣ୍ଡଳି ସହିତ ଭାରତ ଆସିଥିଲେ । ତାଙ୍କ ସହିତ ତାଙ୍କ ପୁଅ ଜେବିୟର ମଧ୍ୟ ଆସିଥିଲେ । ତାଙ୍କ ବିମାନ ଏୟାରବସ ଏସଇ ରେ ଯାନ୍ତ୍ରିକ ତୃଟୀ ଦେଖାଦେଇଥିଲା । ତେବେ ପରେ ଆବଶ୍ୟକ ମରାମତି ପରେ ଏହା ଠିକ୍ ହୋଇଥିବା ଜଣାପଡିଛି ।