ପୁରୀ : ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷିଗୋପାଳ ମନ୍ଦିରରେ ଗତ ୨୬ ତାରିଖ ଶ୍ରାବଣ ମାସ ଶୁକ୍ଳ ଦଶମୀ ତିଥିରୁ ଅନୁଷ୍ଠିତ ହେଉଛି ଝୁଲଣ ଯାତ୍ରା । ଏହି ଝୁଲଣ ଯାତ୍ରା ଆସନ୍ତା ୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ । ଝୁଲଣ ମଣ୍ଡପରେ ଆକର୍ଷଣୀୟ ଅଲୋକ ସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଜରି, କାଗଜ ଓ ସୋଲରେ ପ୍ରସ୍ତୁତ ଫୁଲ, ଲତା, ସଖୀ, କୃଷ୍ଣ, ବଳରାମ, ରୋହିଣୀ, ଜସୋଦା, ଭୀମ, ଦୁଃଶାସନ ଏବଂ ପଶୁ ପକ୍ଷୀଙ୍କ ପ୍ରତିକୃତି ଏହି ଝୁଲଣ କୁଞ୍ଜରେ ସ୍ଥାନିତ କରାଯାଇଛି । ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ସଂନ୍ଧ୍ୟାରେ ଝୁଲଣ ମଣ୍ଡପ ନିକଟରେ ଗୋଟିପୁଅ ନୃତ୍ୟ ପରିବେଷଣ ଭକ୍ତଙ୍କୁ ବିମୋହିତ କରୁଛି । ପ୍ରତ୍ୟେହ ସାକ୍ଷିଗୋପାଳଙ୍କ ସଂନ୍ଧ୍ୟା ଧୂପ ବେଶ ଶେଷ ହେବା ପରେ ବିଜେ ପ୍ରତିମା ମଦନମୋହନଙ୍କୁ ସିଂହାରୀ ସେବାୟତ ଝୁଲଣ କୁଞ୍ଜକୁ ବିଜେ କରୁଛନ୍ତି । ଝୁଲଣ କୁଞ୍ଜରେ ମଦନମୋହନଙ୍କୁ ଭୋଗ, ଆଳତୀ ଓ ଉପଚାର କରାଯାଉଛି । ବଡ଼ସିଂହାର ଧୂପ ସରିବା ପରେ ବିଜେ ପ୍ରତିମା ଝୁଲଣ କୁଞ୍ଜରୁ ଫେରୁଛନ୍ତି ।