ନୂଆଦିଲ୍ଲୀ : ଜଳ ଜୀବନ ମିଶନ (ଜେଜେଏମ୍) ଆଜି ୧୩ କୋଟି ଗ୍ରାମୀଣ ପରିବାରକୁ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ‘ସ୍ପିଡ୍ ଆଣ୍ଡ ସ୍କେଲ’ ମାଧ୍ୟମରେ କାର୍ଯ୍ୟ କରି ଏହି ଜୀବନ ପରିବର୍ତ୍ତନକାରୀ ଅଭିଯାନ ମାତ୍ର ୪ ବର୍ଷ ମଧ୍ୟରେ ୧୩ କୋଟି ଗ୍ରାମୀଣ ପରିବାରକୁ ସଂଯୋଗ ପରିସରଭୁକ୍ତ କରିଛି । ଅଗଷ୍ଟ, ୨୦୧୯ରେ ମିଶନ ଆରମ୍ଭ ହେବା ବେଳକୁ ଗ୍ରାମୀଣ କ୍ଷେତ୍ରରେ ନଳ ମାଧ୍ୟମରେ ଜଳ ସଂଯୋଗର ପରିସରରେ ମାତ୍ର ୩.୨୩ କୋଟି ପରିବାର ସାମିଲ୍ ହୋଇଥିଲେ । ଦେଶ ୭୩ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ, ୨୦୧୯ରେ ଲାଲକିଲ୍ଲା ପ୍ରାଚୀରରୁ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟ , ଯଥା ଗୋଆ, ତେଲଙ୍ଗାନା, ହରିୟାଣା, ଗୁଜରାଟ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ) ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ – ପୁଡୁଚେରୀ, ଡାମନ ଆଣ୍ଡ ଡିୟୁ (ଡି ଆଣ୍ଡ ଡି) ଏବଂ ଦାଦରା ନଗର ହାବେଲି (ଡି ଆଣ୍ଡଏନଏଚ୍) ଏବଂ ଆଣ୍ଡାମାନ ଏବଂ ନିକୋବର (ଏ ଆଣ୍ଡ ଏନ୍) ଦ୍ୱୀପପୁଞ୍ଜରେ ୧୦୦ ପ୍ରତିଶତ ନଳ ମାଧ୍ୟମରେ ଜଳ ସଂଯୋଗ ହୋଇଛି । ଏହା ପଛକୁ ବିହାର ରହିଥିବାବେଳେ ସେଠାରେ ୯୬.୩୯% ଗ୍ରାମାଂଚଳ ଏହାର ପରିସରଭୁକ୍ତ ହୋଇଛି ଏବଂ ଏହା ମିଜୋରାମରେ ୯୨.୧୨% ରହିଛି । ଗୋଆ, ହରିୟାଣା, ପଞ୍ଜାବ, ଏ ଆଣ୍ଡ ଏନ୍ ଦ୍ୱୀପପୁଞ୍ଜ, ପୁଡୁଚେରୀ, ଡି ଆଣ୍ଡ ଏନ୍ଏଚ୍ ଏବଂ ଡି ଆଣ୍ଡ ଡି ହେଉଛନ୍ତି ‘ପ୍ରତି ଘରକୁ ଜଳ ପ୍ରମାଣିତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଅର୍ଥାତ୍ ଏହି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରାମବାସୀମାନେ ଗ୍ରାମସଭା ମାଧ୍ୟମରେ ନିଶ୍ଚିତ କରିଛନ୍ତି ଯେ ଗ୍ରାମର ‘ସମସ୍ତ ପରିବାର ଏବଂ ସରକାରୀ ଅନୁଷ୍ଠାନ ଗୁଡିକୁ ‘ ପର୍ଯ୍ୟାପ୍ତ, ସୁରକ୍ଷିତ ପରିମାଣରେ ଏବଂ ନିୟମିତ ରୂପେ ଜଳ ଯୋଗାଣ କରାଯାଉଛି । ଦେଶର ୧୪୫ଟି ଜିଲ୍ଲା ଓ ୧,୮୬,୮୧୮ଟି ଗ୍ରାମରେ ଶତପ୍ରତିଶତ ନଳ ମାଧ୍ୟମରେ ଜଳ ଯୋଗାଣ ହୋଇଛି ।