ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ନୀଳଡୁଙ୍ଗରି ଓ ହାଲିପାଲି ଠାରେ ବେଆଇନ ଭାବରେ ପାଉଁଶ ଗଦାକୁ କେନ୍ଦ୍ରକରି ଜାଗରଣ ସଂଗଠନ ପକ୍ଷରୁ ଦୃଢ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଆଜି ଜାଗରଣ ସଂଗଠନର ସଭାପତି ସୁଧୀର ରଞ୍ଜନ ବହିଦାର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆରଡିସି କାର୍ଯ୍ୟାଳୟ କୁ ଯାଇ ଏ ସଂକ୍ରାନ୍ତ ରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଜାଗରଣ ସଂଗଠନ ଅଭିଯୋଗ କରିଛି ଯେ, ଝାରସୁଗୁଡା ଜିଲ୍ଲାର ବେଦାନ୍ତ କମ୍ପାନୀରୁ ବାହାରୁ ଥିବା ପାଉଁଶ ଗୁଡିକ ଏକ ପରିବହନ କମ୍ପାନୀ ମାଧ୍ୟମରେ ନିୟମ ଉଲଂଘନ କରି ସମ୍ବଲପୁର ଜିଲ୍ଲାର ନୀଳଡୁଙ୍ଗରି ଓ ହାଲିପାଲି ଠାରେ ପାଉଁଶ ଗୁଡିକ ଗଦା କରା ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପରିବେଶ ଦୂଷିତ ହେଉଛି । ଏନେଇ ସ୍ଥାନୀୟ ପ୍ରଶାସନ ଠାରୁ ମଧ୍ୟ କୌଣସି ଅନୁମତି ନିଆଯାଇ ନଥିବା ବେଳେ ମନଇଚ୍ଛା ପାଉଁଶ ଗଦା କରୁଛି ବେଦାନ୍ତ କମ୍ପାନୀ । ତେବେ ଆଜି ଆରଡିସି ଙ୍କ କାର୍ଯ୍ୟାଳୟ ରେ ଜାଗରଣ ସଂଗଠନ ପକ୍ଷରୁ ସଚିବ ଙ୍କୁ ଦାବିପତ୍ର ଦେଇ ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିବା ବେଳେ ନିୟମ ଅନୁସାରେ ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି ଆରଡିସି ସଚିବ କହିଛନ୍ତି ।