ଯେରୁଶଲମ୍ : ହମାସର ଆକ୍ରମଣ ପରେ ରକ୍ତମୁଖା ଇସ୍ରାଏଲ । ଥମିବାର ନାଁ ନେଉନାହିଁ ଇସ୍ରାଏଲର କ୍ରୋଧ । ହମାସର 8ଶହ ଠିକଣା ଉପରେ ଆକ୍ରମଣ କରିଛନ୍ତି ଇସ୍ରାଏଲ ସେନା । ଏହାପରେ 1.25 ଲକ୍ଷ ଲୋକ ଗାଜାଷ୍ଟ୍ରିପ ଛାଡି ପଳାୟନ କରିଛନ୍ତି । ହମାସର ଆକ୍ରମଣ ପରେ ହଙ୍ଗେରୀ ନିଜର 215 ନାଗରିକଙ୍କୁ ଇସ୍ରାଏଲରୁ ଫେରାଇ ନେଇଛି ।
ହମାସର ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଦିନକୁ ଦିନ ଏହା ବିଷମ ରୂପ ଧାରଣ କରୁଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଯୋଗୁ ଗାଜା ଷ୍ଟ୍ରିପରୁ ଲୋକେ ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି । ଗାଜାରୁ ରକେଟ ଆକ୍ରମଣ ପରେ ଇସ୍ରାଏଲର ବେନଗୁରିୟନ ଅନ୍ତର୍ଜାତୀୟ ଏୟାରପୋର୍ଟ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପାରାଗ୍ଲାଇଡରରେ ହମାସ ଆତଙ୍କବାଦୀ ଇସ୍ରାଏଲରେ ଓହ୍ଲାଇବାକୁ ଉଦ୍ୟମ କରୁଛନ୍ତି ।
ଜବାବରେ ଇସ୍ରାଏଲ ଏୟାରଫୋର୍ସ ଗାଜାର ଅଲ ସୌସି ମସଜିଦକୁ ଟାର୍ଗେଟ କରିଥିଲା, ଏଠାରେ ଶହେରୁ ଅଧିକ ଆତଙ୍କୀ ଲୁଚିରହିଥିଲେ । ଗାଜା ଷ୍ଟ୍ରିପକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ଏବେ ଇସ୍ରାଏଲ ସେନାର ଲକ୍ଷ୍ୟ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଗାଜାରେ ହମାସର 8ଶହ ସ୍ଥାନରେ ଇସ୍ରାଏଲର ଆକ୍ରମଣ ଯୋଗୁ ବହୁ ବଡବଡ ଆତଙ୍କବାଦୀଙ୍କ ଲିଡରଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ ଦାବି କରିଛି ।