ଚଣ୍ଡିଗଡ : ଯବାନଙ୍କ ଗୁଳିରେ ପାକ୍ ଅନୁପ୍ରବେଶକାରୀ ନିପାତ ହୋଇଛି । ଭାରତ-ପାକ୍ ସୀମାନ୍ତରେ ବିଏସଏଫ ଯବାନଙ୍କ ଜଣେ ଅନୁପ୍ରବେଶକାରୀ ଗୁଳିରେ ନିହତ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଜଣକ ଭାରତୀୟ ସୀମାନ୍ତ ଭିତରକୁ ପ୍ରବେଶ କରୁଥିଲେ । ତେବେ ତାଙ୍କ ମୃତ୍ୟୁ ନେଇ ବିଏସଏଫ ପକ୍ଷରୁ ପାକିସ୍ତାନ ରେଞ୍ଜରଙ୍କୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ବିଏସଏଫ ଯବାନ ପକ୍ଷରୁ ତରନତାରନ ନିକଟ ସୀମାବର୍ତ୍ତୀ ଗାଁ ଥେହକଲାଂରେ ସର୍ଚ୍ଚ ଅପରେସନ କରାଯାଉଥିଲା । ଏହି ସମୟରେ ଜଣେ ବ୍ୟକ୍ତି ସୀମାନ୍ତରେ ଥିବା କଣ୍ଟା ତାରବାଡ ଦେଇ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।ବିଏସଏଫ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ମାନିନଥିଲେ । ଶେଷରେ ଯବାନମାନେ ଗୁଳି ଚଳାଇଥିଲେ । ଫାୟାରିଂ ଯୋଗୁ ଘଟଣାସ୍ଥଳରେ ହିଁ ଅନୁପ୍ରବେଶକରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଯବାନମାନେ ମୃତଦେହକୁ ଜବତ କରିଛନ୍ତି । ଏନେଇ ପାକିସ୍ତାନ ରେଞ୍ଜରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କ ତରଫରୁ କୌଣସି ସକରାତ୍ମକ ଉତ୍ତର ଆସିନାହିଁ । ଦିନକ ମଧ୍ୟରେ କୌଣସି ଉତ୍ତର ନଆସିଲେ ପାକିସ୍ତାନର ଅନ୍ୟ ଅଧିକାରୀଙ୍କୁ ଅବଗତ କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।