ନୂଆଦିଲ୍ଲୀ : “ଜନ ଭାଗୀଦାରୀ ଓ ମିଶନ ମୋଡରେ ପ୍ରଣୟନ ହେଉଥିବା ଅଭିଯାନ ଜରିଆରେ ବୈଶ୍ବିକ ଲକ୍ଷ୍ୟ ଠାରୁ ତିନି ବର୍ଷ ଆଗରୁ ୨୦୨୭ ସୁଦ୍ଧା ଲିମ୍ଫାଟିକ୍ ଫାଇଲେରିଆସିସକୁ ଦୂର କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ” । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମନସୁଖ ମାଣ୍ଡଭୀୟ ଆଜି ଜାତୀୟ ସାମୂହିକ ଔଷଧ ପ୍ରୟୋଗ (ଏମଡିଏ)ର ବାର୍ଷିକ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ମଧ୍ୟ ଉପସ୍ଥିତ ଥିଲେ ।
“ଜନଭାଗିଦାରୀ, ‘ସମ୍ପୂର୍ଣ୍ଣ ସରକାର’ ଏବଂ ‘ସମଗ୍ର ସମାଜ’ ଆଭିମୁଖ୍ୟ ମାଧ୍ୟମରେ ଆମେ ଦେଶରୁ ଏହି ରୋଗକୁ ଦୂର କରିବାରେ ସକ୍ଷମ ହୋଇ ପାରିବା” ବୋଲି କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି । ଅଗଷ୍ଟ ୧୦, ୨୦୨୩ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ରାଜ୍ୟ (ଆସାମ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ)ର ୮୧ଟି ଜିଲ୍ଲାକୁ ସାମିଲ କରାଯିବ ।
ଉଦଘାଟନୀ ଉତ୍ସବରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟି. ଏସ୍. ସିଂହଦେଓ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଆସାମର ସ୍ୱାସ୍ଥ୍ୟ ମନ୍ତ୍ରୀ କେଶବ ମହାନ୍ତ ଓ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା ଭର୍ଚୁଆଲ (ଆଭାସୀ) ମୋଡରେ ଯୋଗ ଦେଇଥିଲେ ।
ସମାବେଶକୁ ସମ୍ବୋଧିତ କରି ଡଃ ମାଣ୍ଡଭୀୟ ଗୁରୁତ୍ୱାରୋପ କରିଥିଲେ ଯେ , “କରାଯାଉଥିବା ପ୍ରୟାସ ଗୁଡିକ କେବଳ ଔଷଧ ସେବନ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ, ବରଂ ମଶା ମାଧ୍ୟମରେ ରୋଗ ବିସ୍ତାରକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିବା ଉଚିତ, ଯାହା ବିନା ଆମର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଯଥେଷ୍ଟ ସୀମିତ ରହିବ” ।