ନୂଆଦିଲ୍ଲୀ : ଭାରତ କ୍ରିକେଟ ଟିମ୍ ଆୟରଲ୍ୟାଣ୍ଡ ବିରୋଧରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳିବ । ଏହି ମ୍ୟାଚ୍ ରେ ସମସ୍ତଙ୍କ ନଜର ରହିବ ଦୃତ ବୋଲର ଜସପ୍ରିତ ବୁମରାଙ୍କ ଉପରେ । କାରଣ ସେ ଦୀର୍ଘ ଦିନ ପରେ ଆନ୍ତର୍ଜାତିକ କ୍ରିକେଟ୍ କୁ ଫେରୁଛନ୍ତି । ସେ ଏହି ସିରିଜ୍ ରେ ଭାରତୀୟ ଟିମ୍ ର ନେତୃତ୍ଵ ମଧ୍ୟ ନେବେ । ଏହି ସିରିଜ୍ ଜରିଆରେ ବୁମରାଙ୍କ ଫିଟନେସ୍ ଓ ଲୟର ପରୀକ୍ଷଣ ମଧ୍ୟ କରାଯିବ ।
ଭାରତୀୟ ଟିମ୍ ରେ ଯୁବ ଆଇପିଏଲ ଷ୍ଟାର ରୁତୁରାଜ ଗାୟକୱାଡ, ରିଙ୍କୁ ସିଂହ ଏବଂ ଜିତେନ ଶର୍ମା ମଧ୍ୟ ସାମିଲ୍ ହେବେ । ହେଲେ ସମସ୍ତଙ୍କ ନଜର ରହିବ ବୁମରାଙ୍କ ଉପରେ । ଯାହାକି ଆଗାମୀ ଦିନରେ ହେବାକୁ ଥିବା ଏକଦିବସୀୟ ବିଶ୍ଵକପ୍ ସମୟରେ ଘରୋଇ ଟିମ୍ ର ଯୋଜନା ପାଇଁ ମହତ୍ଵପୂର୍ଣ୍ଣ ହେବ ।
୨୯ ବର୍ଷିୟ ବୁମରା ଅସ୍ତ୍ରୋପଚାର ପରେ ପୁଣି ଥରେ ମୈଦାନକୁ ଫେରିଛନ୍ତି । ତାଙ୍କ ପିଠିର ତଳ ଅଂଶରେ ଗଭୀର ଆଘାତ ଲାଗିଥିଲା । ୨୦୨୨ ଟି-୨୦ ବିଶ୍ଵକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିରୋଧରେ ଘରୋଇ ସିରିଜ୍ ସମୟରେ ତାଙ୍କ ପିଠିରେ ଏହି ଆଘାତ ଲାଗିଥିଲା ।