ବଲାଙ୍ଗିର : ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ସାରା ରାତି ଆନ୍ଦୋଳନରେ ବସିଥିବା ସୂଚନା ମିଳିଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବର୍ଦ୍ଧିତ ହଷ୍ଟେଲ୍ ଫି’କୁ ନେଇ ଛାତ୍ର ଅସନ୍ତୋଷ ଦେଖା ଦେଇଛି । ବର୍ଦ୍ଧିତ ଫି’ ପ୍ରତ୍ୟାହାର ତଥା ଅନ୍ତେବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଦାବୀ କରି ଅନ୍ତେବାସୀମାନେ ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି । ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୁଝାସୁଝା ବି ଫେଲ୍ ମାରିଥିବା କୁହାଯାଇଛି । ତେବେ ବିଳମ୍ବିତ ରାତିରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଛାଡ଼ି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ମତ ପ୍ରକାଶ ପାଇଛି ।
ଅଭିଯୋଗ ଅନୁସାରେ, ପୂର୍ବରୁ ହଷ୍ଟେଲ୍ ଫି’ ୭ ହଜାର ୨ ଶହ ଟଙ୍କା ରହିଥିଲା । ଏବେ ଏହାକୁ ବଢ଼ାଇ ୯ ହଜାର ୨ ଶହ ଟଙ୍କା କରିଦିଆଯାଇଛି । ଏପରିକି ସେହି ଫି’ର ପ୍ରତିବଦଳରେ ଅନ୍ତେବାସୀଙ୍କୁ ଯେଉଁ ପ୍ରକାର ଶୈକ୍ଷିକ, ମନୋରଂଜନ, କ୍ରୀଡ଼ାର ସୁବିଧା ସୁଯୋଗ ଦିଆଯିବା ଉଚିତ, ତାହା ଦିଆଯାଉନାହିଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନରେ ନିରଂଜନା ଓ ଋଷ୍ୟଶୃଙ୍ଗ ପିଜି ହଷ୍ଟେଲର ଶତାଧିକ ଅନ୍ତେବାସୀ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଆନ୍ଦୋଳନରେ ଛାତ୍ର ନେତା ସୁମନ ନନ୍ଦ, ଏଆଇଡ଼ିଏସ୍ର ସୁନୀଲ ଭୋଇ ପ୍ରମୁଖ ସାମିଲ୍ ରହିଥିବା ଜଣାପଡ଼ିଛି । ଅସନ୍ତୋଷ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ଟାଉନ୍ ପୋଲିସ ପହଂଚିଥିଲେ ବି ବିଫଳ ହୋଇଥିବା ସୂଚନା ମିଳିଛି ।