ମାଲକାନଗିରି, ୨୨ ଅପ୍ରେଲ- ମାଲକାନଗିରି ଜିଲ୍ଲାରେ ଚାଲିଛି ଖୁଲମଖୁଲା ଗଂଜେଇ ଚାଷ ଆଉ ବେପାର। କିଏ ଗଂଜେଇ ଗଛରେ ସାର ପ୍ରୟୋଗ କରୁଛି ତ ଆଉ କିଏ ପତ୍ର ଓ ମଞ୍ଜିକୁ ଆଲଗା କରୁଛି। ଗଂଜେଇକୁ ଶୁଖାଇ ମାଡି ମକଚି ଏକାଠି କରିବା ପରେ ପଲିଥିନରେ ପ୍ୟାକିଂ ହେଉଛି। ଆଉ ମଧ୍ୟସ୍ଥିଙ୍କ ଜରିଆରେ ମାଫିଆ ତଥା ବ୍ୟବସାୟୀଙ୍କ ସହ ମୂଲଚାଲ ପରେ ଗାଡି ଲାଗୁଛି ଘର ଦ୍ବାରରେ। ଏଭଳି ବେଧଡକ ଚାଲିଛି ଗଂଜେଇ ବେପାର। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ସହ ପାପୁଲୁର ଓ କୁରମାନୁର ପଞ୍ଚାୟତରେ ବେଲଗାମ ଭାବେ ହେଉଛି ଏହି ବେଆଇନ କାରବାର। କିଛି କ୍ଷେତ୍ରରେ ମାଓବାଦୀଙ୍କର ଆଶୀର୍ବାଦ ରହୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ପୁଲିସ ଏବଂ ଅବକାରୀ କର୍ମଚାରୀ ମାଫିଆଙ୍କ ସହ ହାତ ମିଳାଇ ବେପାରକୁ ପ୍ରୋତ୍ସାହିତ କରୁଛନ୍ତି।ରାତାରାତି କୋଟିପତି ହୋଇଯିବା ନିଶାରେ ସମସ୍ତେ ମୁହାଉଛନ୍ତି ଏହି ନିଶା ବେପାର ଆଡକୁ। ବିଶେଷକରି ପାଠ ପଢି ଭଲ ମଣିଷ ହେବାର ସ୍ବପ୍ନ ଦେଖିବା ବଦଳରେ ଯୁବ ସମାଜ ଏହି ସବୁଜ ଚାଷରେ ମାତି ବେପଥଗାମୀ ହେବାରେ ଲାଗିଛି। ଚାଷ ଜମି ଠାରୁ ଆରମ୍ଭ କରି ଜଙ୍ଗଲ ଜମି ସବୁଜ ରଙ୍ଗରେ ହସି ଉଠୁଥିଲା। ଶହଶହ ଏକର ସବୁଜ କ୍ଷେତରେ ଅନ୍ୟ କିଛି ନୁହେଁ ହେଉଛି ଗଂଜେଇ ଚାଷ। ଚାଷୀ ଗଂଜେଇ ଗଛରେ ପ୍ରତିଦିନ ପାଣି ସହ ସାର ପ୍ରୟୋଗ କରନ୍ତି। ଗଂଜେଇ ଅମଳ କାର୍ଯ୍ୟରେ ଉଭୟ ମହିଳା ଏବଂ ପୁରୁଷ ଲାଗିଥାନ୍ତି। କିଏ ଗଂଜେଇ ଗଛରୁ ପତ୍ରକୁ ଅଲଗା କରନ୍ତି, ତ ଆଉ କିଏ ଏହାକୁ ବିଛାଇ ଗୋଡରେ ମାଡୁଥାଏ। ଏହି ନିଷିଦ୍ଧ କାର୍ଯ୍ୟ ନିର୍ଭୟର ସହ ଘର ବାରଣ୍ଡାରେ କରନ୍ତି।

ପୁଲିସ କିମ୍ବା ଅବକାରୀ ଚଢଉର ଆଶଙ୍କା ରହିଥିଲେ ମଧ୍ୟ ଏହି ଲୋକମାନେ ବେଫିକର ରୁହନ୍ତି। ସତେ ଯେମିତି ଅନ୍ୟ ଚାଷ ଭଳି ଗଂଜେଇ ମଧ୍ୟ ଏହି ଦୁର୍ଗମ ଅଂଚଳବାସୀଙ୍କ ପାରମ୍ପରିକ ବେଉସା ପାଲଟିଯାଇଛି। ପରିବାରର ସବୁ ସଦସ୍ୟ ଏହି କାମରେ ନିୟୋଜିତ ହୋଇଥାନ୍ତି। ଏହି ଚାଷରେ ପ୍ରବଳ ଅର୍ଥ ରହିଥିବା ଏବଂ ଚାଷ ପାଇଁ ସବୁକିଛି ଅଗ୍ରୀମ ମିଳୁଥିବାରୁ ଲୋକେ ମଧ୍ୟ ଧାନ, ମାଣ୍ଡିଆ, ହଳଦୀ ଚାଷ ବଦଳରେ ଗଂଜେଇ ଚାଷକୁ ଆପଣେଇ ନେଇଛନ୍ତି । କିଛି ଗଂଜେଇ ଚାଷିଙ୍କ ସହ ଆଲୋଚନାରୁ ଜଣାଗଲା ଯେ, ମାଫିଆ ତଥା ବ୍ୟବସାୟୀମାନେ ଗଂଜେଇ ଚାଷ କରିବା ପାଇଁ ଅଗ୍ରୀମ ଆକାରରେ ଟଙ୍କା ପ୍ରଦାନ କରିଥାନ୍ତି।ସାଧାରଣତଃ ବର୍ଷା ଋତୁର ଆରମ୍ଭରେ ଜମିକୁ ଉର୍ବରକରି ବିହନ ବୁଣାଯାଇଥାଏ। ଏଥିସହ ଚାରା ଉଠିବା ପରେ ସେଗୁଡିକର ଯତ୍ନ ନିଆଯାଇଥାଏ। ଏଥିପାଇଁ ପରିବାରର ଲୋକେ ପାଳି କରି ନିଜ ଅଧିନରେ ଥିବା ଜମିର ଯତ୍ନ ନେଉଥାନ୍ତି। ନିୟମିତ ପାଣି ଯୋଗାଇ ଦେବା ସହ ସାର, ଖତ ଇତ୍ୟାଦି ଗଛ ମୂଳରେ ଦେଇଥାନ୍ତି। ଧୀରେଧୀରେ ଗଛ ବଡ ହୁଏ ଏବଂ ସେଥିରେ ଫୁଲ ଧରେ। ଗଛ ପାକଳ ହେବା ସହ ଗଛର କେନା କେନା ଜଟ ଝୁଲେ। ଡିସେମ୍ବର ମାସ ହେଉଛି ଗଂଜେଇ ଅମଳର ପ୍ରକୃଷ୍ଟ ସମୟ। ଡିସେମ୍ବର ମାସ ଠାରୁ ଫେବ୍ରୁଆରି ପର୍ଯ୍ୟନ୍ତ ଚାଷି ନିଜ ନିଜ ଜମିରୁ ଗଂଜେଇ ଅମଳ କରି ଘରକୁ ଆଣେ। ତାପରେ ସେସବୁକୁ କିଛି ଦିନ ଧରି ଟାଣ ଖରାରେ ଶୁଖାଇଥାନ୍ତି। ଏହା ସଂପୂର୍ଣ୍ଣ ଶୁଖିଯିବା ପରେ ଗଂଜେଇ ଜଟ ସବୁକୁ ହାତରେ ମନ୍ଥି ଏବଂ ଦରକାର ପଡିଲେ ପାଦରେ ଦଳି ବିକ୍ରି ଉପଯୋଗୀ କରାଯାଏ।
ଗଂଜେଇକୁ ଅମଳ କରି ବ୍ୟବସାୟୀ ପର୍ଯ୍ୟନ୍ତ ପହଞ୍ଚାଇବାରେ ସମସ୍ତ ପ୍ରକାର ସହଯୋଗ ଚାଷୀ କରିଥାନ୍ତି। କେତେବେଳେ କାଉଡିରେ ଭାର ବୋହି ତ ଆଉ କେତେବେଳେ ବସ୍ତାରେ ଭର୍ତ୍ତିକରି ବ୍ୟବସାୟୀଙ୍କ ପାଖରେ ପହଞ୍ଚାଇବାର ଦାୟୀତ୍ବ ମଧ୍ୟ ଚାଷୀ ନେଇଥାଏ। ତେବେ ଗଂଜେଇ ମାଫିଆ ତଥା ମୁଖ୍ୟ ବ୍ୟବସାୟୀମାନେ ପରଦା ପଛରେ ରହି ଏସବୁ କାର୍ଯ୍ୟକୁ ପରିଚାଳନା କରନ୍ତି। ଧରାପଡିଲେ ଚାଷୀ କିମ୍ବା ଚାଲାଣ କରୁଥିବା ବ୍ୟକ୍ତି କାଠ ଗଡାକୁ ଯାଏ। ଆଉ ମାଫିଆଙ୍କ କିଛି ହୁଏ ନାହିଁ। ଏହାର କାରଣ ହେଲା ପୁଲିସ କିମ୍ବା ଅବକାରୀ ବିଭାଗ ଏହା ଜାଣିବା ପରେ ମଧ୍ୟ ବେଳେ ବେଳେ ନିଜ ପକେଟ ଗରମ ହେବା ଯୋଗୁଁ ଏମାନ ଖସିବାରେ ସଫଳ ହେଉଥିବା ଏବଂ ଏହି ମାଫିଆଙ୍କୁ ଖସାଇବାର ସମସ୍ତ ବ୍ୟବସ୍ଥା କରାଯାଇଥାଏ ବୋଲି ଅଭିଯୋଗ ହେଉଛି । ପୁଲିସ ଓ ଅବକାରୀ ଚଢଉ ପରେ ମଧ୍ୟ ଏହି ବେପାର କମିବାର ନାମ ନେଉ ନାହିଁ। ଯେତେ ଧରାପଡୁଛି ସେତେ ବେପାର ଆହୁରି ବଢୁଛି।