
In Bhadrak district, about 5 crores scam in the supply of school children's clothes, the district committee has selected a company with no background.
ଭଦ୍ରକ – ଭଦ୍ରକ ଜିଲାରେ ସ୍କୁଲ ପିଲାମାନଙ୍କ ପୋଷାକ ଯୋଗାଣରେ ପ୍ରାୟ ୫ କୋଟି ଟଙ୍କାର ଘୋଟାଲା ହୋଇଥିବା ବିଷୟ ଅଭିଯୋଗ ହୋଇଛି। ଏଠାରେ ସୂଚନାଯୋଗ୍ୟ ୨୦୨୪-୨୫ ମସିହା ଆର୍ଥିକ ବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ବାଳକ ବାଳିକାମାନଙ୍କୁ ପୋଷାକ ଯୋଗାଣ ନିମନ୍ତେ ଏକ ନିର୍ଦ୍ଦେଶନାମା ଚଳିତବର୍ଷ ଜୁଲାଇ ୧୮ ତାରିଖ ଦିନ ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଅଭିଯାନ, ଭଦ୍ରକର ପତ୍ର ସଂଖ୍ୟା ୧୩୩୯ ରେ ଜାରି ହୋଇଥିଲା। ଏହି ନିର୍ଦ୍ଦେଶନାମାନୁସାରେ ଏମ୍ଏସ୍ଇ ଓ ଡବ୍ଲ୍ୟୁଏସ୍ଏଚ୍ଜି (ଟେଲରିଂ ୟୁନିଟ୍) ଗୁଡିକ ଆବେଦନ କରିପାରିବେ ବୋଲି ସୂଚିତ ହୋଇଥିଲା। ଫଳରେ ଏମାନେ ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ଆବେଦନ କରିଥିଲେ। ଏବଂ ପରବର୍ତୀ ସମୟରେ ସେହି ସଂସ୍ଥାମାନଙ୍କର ଭିତିଭୂମିର ଯାଂଚ ନିମନ୍ତେ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ମତେ କାର୍ଯ୍ୟ ସଂପନ୍ନ ହୋଇ ଗତମାସ ୨୩ ତାରିଖରେ ଏକ ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା। ମାତ୍ର ବିଡମ୍ବନାର ବିଷୟ ପୂର୍ବ ନିର୍ଦ୍ଦେଶନାମାକୁ ବେଖାତିର କରି କେତେକ ଅସାଧୁ ବ୍ୟବସାୟୀଙ୍କ ପ୍ରରୋଚନାରେ ବିଭାଗୀୟ ଅଧିକାରୀମାନେ ଯେଉଁ ସଂସ୍ଥାମାନଙ୍କର ସିଲେଇ ସମ୍ବନ୍ଧୀୟ କୌଣସି ଜ୍ଞାନ କୌଶଳ ଓ ଭିତିଭୂମି ନାହିଁ, ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଗଳାବାଟରେ ନେଇ ସେମାନଙ୍କୁ ପୋଷାକ ଯୋଗାଣ ପାଇଁ ଜିଲା କମିଟି ସ୍ୱୀକୃତି ପ୍ରଦାନ କରିଛି। ଏହି ଅସାଧୁ ବ୍ୟବସାୟୀମାନେ ପଡୋଶୀ ପଶ୍ଚିମବଙ୍ଗରୁ ନିମ୍ନମାନର ପୋଷାକ ଆଣି ମୋଟା ଅଙ୍କର ମୁନାଫା କମାଉଥିବାର ଜଣାପଡିଛି। ଏହାଦ୍ୱାରା କେବଳ ଭଦ୍ରକ ଜିଲା ନୁହେଁ ରାଜ୍ୟର ସ୍ୱାର୍ଥ ସାଧିତ ହୋଇପାରୁନାହିଁ। ପ୍ରକୃତରେ ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରି ପୋଷାକ ତିଆରି ସଂସ୍ଥାମାନ ଜିଲାରେ ପ୍ରତିଷ୍ଠା କରି ବହୁ ଲୋକଙ୍କ ରୋଜଗାରର ମାଧ୍ୟମ ସାଜିଛନ୍ତି, ସେମାନଙ୍କୁ ମାତ୍ର ୩୦, ୪୦, ୫୦ ଟି ପିଲାମାନଙ୍କୁ ପୋଷାକ ଯୋଗାଣ ନିମନ୍ତେ ସଂପୃକ୍ତ ଚିଠାରେ ଜିଲା କମିଟି ଅନୁମୋଦନ କରିଛି। ଯାହା ସେହି ସଂସ୍ଥାମାନଙ୍କ ଗାଲରେ ଚାପୁଡା ମାରିବା ସଦୃଶ ହୋଇଛି। କିନ୍ତୁ ଯେଉଁମାନଙ୍କର କିଛି ନାହିଁ, ସେମାନଙ୍କ ଠାରୁ ମୋଟା ଅଙ୍କର ହାତଗୁଂଜା ନେଇ ଚୟନ କମିଟିର ଅସାଧୁ ଅଧିକାରୀମାନେ ନିଜର ହାତ ଚିକ୍କଣ କରିଥିବାର ଅଭିଯୋଗ କରି ଏହାର ଏକ ବିଧିବଦ୍ଧ ତଦନ୍ତ ସହ ରିପୋର୍ଟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ଯୋଗାଣ ବନ୍ଦ ରଖିବାକୁ ଓଏଏସ୍ଏମ୍ଇ ଭଦ୍ରକ ଶାଖାର ସଂପାଦକ ସୁଶାନ୍ତ କୁମାର ନାୟକ, ସଭାପତି ସୁରଜ କୁମାର ସାହୁ, ମଧୁମିତା ପଣ୍ଡା, କମଳାକାନ୍ତ ସାହୁ, ବିଜୟ କୁମାର ରଣା, ଅକ୍ଷୟ ବିଶ୍ୱାଳ, ସଂଗୀତା ମହାରଣା, ଲକ୍ଷ୍ମୀପ୍ରିୟା ନାୟକ ଓ ସୁବାଷ ପାତ୍ର ପ୍ରମୁଖ ଜିଲାପାଳ ତଥା ଅଧ୍ୟକ୍ଷ, ସମଗ୍ର ଶିକ୍ଷା, ଭଦ୍ରକଙ୍କ ନିକଟରେ ଏକ ଅଭିଯୋଗ ପତ୍ର ଦେବା ସହ ଏହାର ଏକକିତା ନକଲ ଭଦ୍ରକ ଡିଆଇସିର ସାଧାରଣ ପରିଚାଳକ, ଭଦ୍ରକ, ଜିଲା ଶିକ୍ଷାଧିକାରୀ ତଥା ଜିଲା ପ୍ରକଳ୍ପ ସଂଯୋଜକ, ଜିଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି,ଭଦ୍ରକ, ଭଦ୍ରକ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସୂର୍ଯ୍ୟକାନ୍ତ ବେହେରାଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ ଏହି ଅଭିଯୋଗ ସଂପର୍କରେ ଅବଗତ ଥିବାର ସୂଚାଇ ଏ ଦିଗରେ ଏକ ନିରପେକ୍ଷ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।