ଚମ୍ପୁଆ : ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପୁଆ ଡାକ ବଙ୍ଗଳା ଠାରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକଟି ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଚମ୍ପୁଆ ବ୍ଲକ ଚ୍ୟାରମ୍ୟାନ ଶ୍ରୀଯୁକ୍ତ ସିଦ୍ଧାର୍ଥ କୁମାର ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗରିବ ଦୁଃଖୀ ଖଟିଖିଆ ଚମ୍ପୁଆ ବାସୀଙ୍କୁ ତାଙ୍କର ମୌଳିକ ଅଧିକାର ପ୍ରଦାନ ପାଇଁ ସର୍ବଦା ଲଢେଇ କରି ଆସୁଥିବା ସମାଜସେବୀ ଶ୍ରୀଯୁକ୍ତ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବାବେଳେ ବିଧାନସଭାକୁ ଭଗବାନ ଭରଷାରେ ବାରମ୍ବାର ବିରୋଧୀ ହାତରେ ଟେକି ନ ଦେଇ କେମିତି ଦଳକୁ ବିଜୟୀ କରାଯାଇ ପାରିବ, ସେ ବାବଦରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଗଲା । ମୋଦିଙ୍କ ଲୋକପ୍ରିୟତା, ତାଙ୍କର ବିକାଶ ମୁଖୀ ଯୋଜନା, ମୋଦିଙ୍କ ଅନ୍ତର୍ଜାତୀୟ ନୀତିରେ ଭାରତ ବିଶ୍ଵଗୁରୁ ହେବା, ଅର୍ଥନୀତିରେ ଭାରତ ସର୍ବଦା ଆଗରେ ରହିବା, ଚନ୍ଦ୍ରଜାନ ୩ ର ସଫଳତା ଠାରୁ ନେଇ ଅନେକ କଥାକୁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହାକୁ ପାଥେୟ କରି ଚମ୍ପୁଆ ବିଜେପି କିପରି ନିର୍ବାଚନ ବୈତରଣୀ ପାର ହୋଇ ପାରିବ ସେ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଗଲା। ସାରା ଦେଶରେ ମୋଦିଙ୍କ ହାୱା ବହୁଥିବା ବେଳେ କିପରି ଚମ୍ପୁଆ ବିଧାନସଭାରେ ଦଳ ବାରମ୍ବାର ପରାଜୟ ହେଉଛି, ସେ ନେଇ ଆଶ୍ଚର୍ଯ୍ୟ ଏବଂ ଦୁଃଖ ପ୍ରକାଶ କରାଯାଇଥିଲା । ଶ୍ରୀ ତ୍ରିପାଠୀ କହିଛନ୍ତି ଯେତେ ପର୍ଯ୍ୟନ୍ତ ଚମ୍ପୁଆରୁ ଖଣିଲୁଟି ଖାଉଥିବା ନେତା ମାନଙ୍କୁ ପରାଜୟ କରାଯିବ ନାହିଁ ସେ ପର୍ଯ୍ୟନ୍ତ ପ୍ରିୟ ଚମ୍ପୁଆ ବାସୀ କୌଣସି ସୁବିଧା ପାଇ ପାରିବେ ନାହିଁ । ଚମ୍ପୁଆ ବିଧାନସଭା ଲକ୍ଷ୍ମୀଙ୍କର ଭଣ୍ଡାର ହୋଇ ମଧ୍ୟ ଏଠାକାର ଶିକ୍ଷିତ ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି, ବାହାର ଠିକାଦାର ମାନେ ଏଠାରେ ମାଲେମାଲ ହେଉଥିବାବେଳେ ତାଙ୍କର ଦଲାଲ ମାନେ ଲୋକଙ୍କ ଅଧିକାରକୁ ବାରମ୍ବାର ଲୁଟି ନେଉଛନ୍ତି। ଏଠାରେ ଖାଲି ହରିଲୁଟ ଚାଲୁଛି। ଏଠାକାର ଯୁବକ ଯୁବତୀଙ୍କୁ ଚାକିରୀ ମିଳୁ ନଥିବାବେଳେ ବାହାର ଲୋକେ ଏଠାରେ ଚାକିରୀ କରୁଛନ୍ତି । ତେଣୁ ଯାହା ହେଉ ନା କାହିଁକି ଆମ୍ଭ ମାନଙ୍କୁ ଏଥର ବିଜେପିର ବିଧାୟକ ତିଆରି କରିବାକୁ ପଡିବ । ଏଠାରେ ବିଜେପି ବିଧାୟକ ଠିକ ରହିଲେ କେନ୍ଦୁଝର ଲୋକସଭା ଆସନ ଆପେ ଆପେ ଜିତି ପାରିବ, ଏହା ସମସ୍ତଙ୍କୁ ଜଣାଅଛି । ନଚେତ ଆମ୍ଭେ ସମସ୍ତେ ଏହିପରି ଅବହେଳିତ, ନିଷ୍ପେସିତ ହୋଇ ରହିଥିବା , ବୁଦ୍ଧି ଜୀବୀଙ୍କୁ ସଚେତନ କରିବାକୁ ପଡିବ, ଏହିପରି ଶ୍ରୀ ତ୍ରିପାଠୀ ତାଙ୍କର ମନ୍ତବ୍ୟ ରଖିଥିବାବେଳେ ଏହି ଗରୁତ୍ୱପୂର୍ଣ ବୈଠକରେ ବିଜେପିର ଲିଗାଲ ସେଲ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସମ୍ପାଦକ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ, ବିଜେପି ୧୩ ନଂ ଜୋନ ଉପସଭାପତି ସିତାନାଥ ପାତ୍ର, କରଞ୍ଜିଆ ମଣ୍ଡଳ ସଭାପତି ସରୋଜ କୁମାର ପ୍ରଧାନ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ସୁଧୀର ସର୍ଦ୍ଦାର, ବିଜେପି ଯୁବ ସମର୍ଥକ ଜର୍ମାନୀ ମହାନ୍ତ, ରଞ୍ଜନ କୁମାର ଗିରି, ନରେଶ ପାତ୍ର, ସୁଶାନ୍ତ କୁମାର ଲହାରଙ୍କ ସହିତ ବହୁ ବିଜେପି କର୍ମୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।