ନୂଆଦିଲ୍ଲୀ, 8 ସେପ୍ଟେମ୍ବର ବିଶ୍ୱ ଦେଖିଲା ସମ୍ବଲପୁର ନୃତ୍ୟ ଓ ଗୀତର ଝଲକ । ପୁଣି ଥରେ ଗୌରବ ଆଣିଲା ସମ୍ବଲପୁରୀ ଗୀତ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷା କ୍ରିଷ୍ଟାଲିନା ଜର୍ଜିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଦିନ ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ କ୍ରିଷ୍ଟାଲିନା ଜର୍ଜିବା ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବଲପୁରୀ ଲୋକଗୀତ ଓ ନୃତ୍ୟର ତାଳେ ତାଳେ ସ୍ୱାଗତ କରାଯାଇଥିଲା ।
ତେବେ ଆଇଏମଏଫ ଅଧ୍ୟକ୍ଷା ଅଭିବାଦନକୁ ସ୍ୱୀକାର କରିବା ସହ ଖୁସିବ୍ୟକ୍ତ କରିଥିଲେ । ଏପରିକି ଏହାର ପ୍ରସ୍ତୁତି ତାଙ୍କ ମନକୁ ଏତେ ପରିମାଣରେ ଛୁଇଁଥିଲା ଯେ, ସେ ନିଜକୁ ଅଟକାଇନପାରି ଗୀତର ତାଳେ ତାଳେ ନାଚିବାକୁ ଲାଗିଥିଲେ ଏବଂ କଳାକାରମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜର୍ଜିବାଙ୍କ ନୃତ୍ୟୁ ବେଳର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁରୀ ଗୀତରେ ନନାଚି ରହିବା କଠିନ ଅଟେ ।